ସମ୍ବଲପୁର/ଭୁବନେଶ୍ୱର,ଆସନ୍ତାକାଲି ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତକୁ ବିଜେପି ବିରୋଧ କରିବ ବୋଲି ସୂଚନା ଦେଇଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ । ସମ୍ବଲପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗତ କିଛି ମାସ ହେଲା ୫ଟି ସଚିବ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ସାଧାରଣ ସଭାମାନଙ୍କରେ ଲୋକଙ୍କୁ ଉଦବୋଧନ ଦେଉଛନ୍ତି । ତାଙ୍କ ଗସ୍ତ ପୁର୍ବରୁ କାର୍ଯ୍ୟକ୍ରମ ଆୟୋଜନ ରେ ରାଜ୍ୟ ର ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ନିୟୋଜିତ ହେଉଛନ୍ତି । ଯାହାକି ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜନପ୍ରତିନିଧିଙ୍କ ମୁହଁରେ ଶକ୍ତ ଚାପୁଡ଼ା । ରାଜ୍ୟ ରାଜକୋଷକୁ ହରିଲୁଟ୍ କରି ହେଲିକେପ୍ଟର ଯୋଗେ ଯାତ୍ରା କରି, ପଇସା ବାଂଟି ଲୋକଙ୍କୁ ଅଣାଯାଇ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଦଳୀୟ ପ୍ରଚାର କରାଯାଉଛି । ରାଜ୍ୟରେ ଚାଲୁଥିବା ଏଭଳି ଶାସନ ବ୍ୟବସ୍ଥା ରାଜ୍ୟ ର ଗଣତାନ୍ତ୍ରିକ ମୂଲ୍ୟବୋଧ କୁ ଲଜ୍ଜିତ ଓ ଲୋକହସା କରୁଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ସମ୍ବଲପୁର ଜିଲ୍ଲା ଗସ୍ତ ରେ ଆସୁଛନ୍ତି, ଏହି ଗସ୍ତ କୁ ଆମେ ଦୃଢ଼ ଶବ୍ଦ ରେ ନିନ୍ଦା ଓ ବିରୋଧ କରୁଛୁ ।
ଏହି ଅବସରରେ ୫ଟି ସଚିବଙ୍କୁ ବିଜେପି ପକ୍ଷରୁ ୨୧ ଟି ପ୍ରଶ୍ନ ପଚରାଯାଇଛି । ଏହି ପ୍ରଶ୍ନ ଗୁଡିକର ଉତର ଦେବାକୁ ବିଜେପି ଆହ୍ୱାନ ଦେଇଛି । ଗତ ୨୩ ବର୍ଷ ରେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋଦ୍ ଆସି ସିଧସଳଖ ସାକ୍ଷାତ ଓ ଅଭିଯୋଗ ଗ୍ରହଣ ପାଇଁ ମାତ୍ର ୨୩ ଥର ଆସିଛନ୍ତି କି?ମୁଖ୍ୟମନ୍ତ୍ରୀ କାହିଁକି ନିଜର ଅଭିଯୋଗ ପ୍ରକୋଷ୍ଠ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ନିଜେ ରାଜ୍ୟବାସୀ ଙ୍କୁ ସାକ୍ଷାତ କରୁ ନାହାନ୍ତି..?ସରକାର ରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମଧ୍ୟରୁ ଏମିତି କେହି ବି ଯୋଗ୍ୟ ନେତା ନାହାଁନ୍ତି କି, ଯିଏ କି ମୁଖ୍ୟମନ୍ତ୍ରୀ ଙ୍କ ବିଶ୍ୱାସ ଭାଜନ ହୋଇ ତାଙ୍କର ପ୍ରତିନିଧିତ୍ୱ କରିପାରିବେ? ଅମଲାତନ୍ତ୍ରର ଜଣେ ସଚିବ ସ୍ତରର ଅଧିକାରୀ ଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ରେ ସାଂସଦ, ମନ୍ତ୍ରୀ, ବିଧାୟକ ଙ୍କ ଭଳି ଜନପ୍ରତିନିଧି ନିୟୋଜିତ ହେବେ କେତେ ଯୁକ୍ତି ସଙ୍ଗତ? ଯଦି ଏହା ଲୋକଙ୍କ ପାଖକୁ ସରକାର ପହଞ୍ଚିବାର କାର୍ଯ୍ୟକ୍ରମ ତାହେଲେ ସ୍ଥାନୀୟ ସାଂସଦ, ବିଧାୟକ ଙ୍କ ସମେତ ବିଭାଗୀୟ ମନ୍ତ୍ରୀ କାହିଁକି ମଞ୍ଚାସିନ ନ ହୋଇ କେବଳ ଜଣେ ସଚିବ କାହିଁକି ମଞ୍ଚ ରେ ରହୁଛନ୍ତି?ଉତ୍ପାଦିତ ଧାନ ବିକ୍ରି ସମୟରେ ଟୋକନ୍ ବ୍ୟବସ୍ଥା କରି ବର୍ଷ ବର୍ଷ ଧରି କାହିଁକି ଶୋଷଣ କରିଚାଲିଛନ୍ତି?ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବାରେ ରାଜ୍ୟ ସରକାର ଙ୍କର ଶିଳ୍ପନୀତି ଦାୟୀ ନୁହେଁ କି..?ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଜମିହରା ବାସହରା ହେଉଥିବା ପରିବାରଙ୍କୁ ନିଯୁକ୍ତି ରେ ଅଗ୍ରାଧିକାର ନମିଳିବା କେତେଦୂର ଯୁକ୍ତିଯୁକ୍ତ? ୨୦୧୬ ରେ ସୋହେଲା ଠାରେ ହେଇଥିବା ଚାଷୀ ସମାବେଶ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ କୁଆଡେ ଗଲା? ଯୁଯୁମୁରା ବ୍ଲକ ନିଲଡୁମ୍ବ୍ରୀ ଠାରେ ୨୦୧୦ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରେ ଶିଳାନ୍ୟାସ ହୋଇଥିବା ଅତ୍ୟାଧୁନିକ କୃଷକ ବଜାର ପ୍ରଙ୍ଗନ କାହିଁକି ଆଜି ଯାଏଁ ନିର୍ମାଣ ହୋଇପାରିଲା ନାହିଁ? ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମସ୍ଥାନ କୁ ରାଜ୍ୟ ମାନଚିତ୍ର ରେ ଏକ ଐତହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ଭବେ ସ୍ଥାନିତ କରିବା ପାଇଁ କାହିଁକି ଆଜି ଯାଏଁ କିଛି ପଦକ୍ଷେପ ନିଆଯାଇ ନାହିଁ?ସମ୍ବଲପୁରର ଷ୍ଟାଡିୟମ୍ ମରାମତି ପାଇଁ ତିନି କୋଟି ଟଙ୍କା ଆଜି ଯାଏଁ କାହିଁକି ମିଳିଲା ନାହିଁ? ଆମ ରାଜ୍ୟରେ ବିଜୁଳି ଦର ଏତିକି ମହଙ୍ଗା କାହିଁକି? ଚିକିତ୍ସାଳୟ ରେ ଚିକିତ୍ସକ ଓ ବିଦ୍ୟାଳୟ ମହାବିଦ୍ୟାଳୟ ରେ ଶିକ୍ଷକ ଅଭାବ କାହିଁକି? ସମ୍ବଲପୁର ପୌର ପରିଷଦରେ ଆଜି ଯାଏଁ କାହିଁକି ନିର୍ବାଚନ କରାଯାଉ ନାହିଁ?ସମ୍ବଲପୁର ମହାନଗର ନିଗମ ଭଳି ଏକ ଗଣତାନ୍ତ୍ରିକ ବ୍ୟବସ୍ଥା କୁ କାହା ସ୍ୱାର୍ଥ ରେ ଦୀର୍ଘ ବର୍ଷ ଧରି ପ୍ରାଶାସନିକ ଅଧିକାରୀ ଙ୍କ ହାତ କୁ ଟେକି ଦିଆଯାଇଛି? ହୀରାକୁଦ ଜଳଭଣ୍ଡାର ତଳେ ଓ ଚିରସ୍ରୋତା ମହାନଦୀ କୂଳରେ ଥାଇ ମଧ୍ୟ ଆଜି ବି ସମ୍ବଲପୁରବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାର ଅସୁବିଧା ର ସମ୍ମୁଖୀନ କାହିଁକି ହେଉଛନ୍ତି? ଜଣ୍ଡିସ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୬୦ କୋଟି ଟଙ୍କା ଗଲା କୁଆଡେ? ବୁର୍ଲା ଭିମ୍ସାର କୁ କାହିଁକି ପୂର୍ଣ୍ଣ ଆର୍ôଥକ ଓ ପ୍ରଶାନିକ କ୍ଷମତା ପ୍ରଦାନ କରାଯାଉ ନାହିଁ ? ଦେଶ ର ଧନୀ ରାଜ୍ୟ ମାନଙ୍କରେ ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟର ର ବ୍ୟବସ୍ଥା ନଥିବା ବେଳେ ଆମ ଗରିବ ରାଜ୍ୟରେ ଏହି ବ୍ୟବସ୍ଥା କାହା ସ୍ୱାର୍ଥ ରେ? ସମ୍ବଲପୁର ରେ ଚାଲିଥିବା ସମଲେଇ ଯୋଜନା ର କାର୍ଯ୍ୟ ଅତି ନିମ୍ନ ମାନର ହେଉଛି । ଅର୍ଥ ଆତ୍ମସାତ ର କୁତ୍ସିତ ଅପକର୍ମ ପାଇଁ ଦାୟୀ କିଏ ବୋଲି ବିଜେପି ପ୍ରଶ୍ନ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ , ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର , କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି , ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର ଓ ଜିଲ୍ଲା ଉପସଭାପତି ଫଣି ଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Posted by: Desk, Indo Kaling Times