
ଗଞ୍ଜାମ, ଗତକାଲି ରାତିରେ ପୋଲସରା ବ୍ଲକ ଛକ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଖଲିକୋଟ ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିଜୟ କୁମାର ବେହେରା (୬୨) । ଆହତ ଜଣକ ହେଲେ ତାଙ୍କ ଝିଅ ଗାୟତ୍ରୀ । ପୋଲସରା ଥାନା ପୋଲିସ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୋଲିସ ହିଞ୍ଜିଳିକାଟୁରୁ ଗିରଫ କରିଥିବା ଜଣାପଡିଛି । ସେ ମୃତକ ବିଜୟଙ୍କ ସମ୍ପର୍କୀୟ । ହତ୍ୟାକାଣ୍ଡ ପଛରେ ଜମିଜମା ବିବାଦ ରହିଥିବା ପୋଲିସ କହିଛି । ବିଜୟଙ୍କ ଝିଅ ଗାୟତ୍ରୀ ଷୋଡ଼କ ଗ୍ରାମରେ ବିବାହ କରିଛନ୍ତି । ଗାୟତ୍ରୀଙ୍କ ଶ୍ଵଶୁର ଘର ପୋଲସରା ବ୍ଲକ ଛକରେ ଘରଭଡ଼ା ନେଇ ରହୁଥିଲେ । ବାପା ବିଜୟ ଗତକାଲି ଝିଅଘରକୁ ଆସିଥିଲେ । ରାତି ପ୍ରାୟ ୭ଟା ସମୟରେ ପ୍ରଶାନ୍ତ ଘରର ଝରକା ଓ ଗ୍ରୀଲ ଦେଇ ବିଜୟଙ୍କ ଉପରକୁ ଗୁଳି ଫୁଟାଇଥିଲା । ଗୋଟିଏ ଗୁଳି ବିଜୟଙ୍କ ଛାତିରେ ବାଜିଥିଲା । ଏହାପରେ ବିଜୟ ସେଠାରେ ଟଳି ପଡିଥିଲେ । ଏହାଦେଖି ବାପାଙ୍କୁ ବଂଚାଇବାକୁ ଯାଇଥିବା ଝିଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ । ତାଙ୍କ ହାତରେ ଗୁଳି ବାଜିଥିଲା । ଘଟଣା ପରେ ପ୍ରଶାନ୍ତ ସେଠାରୁ ଚମ୍ପଟ୍ ମାରିଥିଲା । ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ବିଜୟଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Posted by: Desk, Indo Kaling Times