
ବାଲେଶ୍ୱର/ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେେଂଟନରଙ୍କ ଭୂମିକା ମଧ୍ୟ ଥିଲା । ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି ।
ଗତ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଜାରି ରହିଛି । ସିବିଆଇ ମଙ୍ଗଳବାର ଦିନ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି । ପୂର୍ବରୁ ସେମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଦ୍ୱିତୀୟ ଥର ପାଇଁ ସିବିଆଇ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି । ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ ।
Posted by: Desk, Indo Kaling Times