ଭୁବନେଶ୍ୱର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ କୃଷକ ନେତା, ଓଡ଼ିଶା ବିଧାନସଭାର ସିପିଆଇର ପୂର୍ବତନ ଦଳପତି ଗଙ୍ଗାଧର ପାଇକରାୟଙ୍କ ୧୦୮ତମ ଜୟନ୍ତୀ ସମାରୋହ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ଜୟନ୍ତୀ କମିଟିର ସଭାପତି ଆଶିଷ କାନୁନ୍ଗୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହର ପ୍ରାରମ୍ଭରେ ସିପିଆଇର ଜୋନ ସମ୍ପାଦକ ସୁର ଜେନା ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଏହାପରେ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଡ. ଅଶ୍ୱିନୀ ମିଶ୍ର, ସିପିଆଇର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଦିବାକର ନାୟକ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅମିୟ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗଙ୍ଗାଧର ପାଇକରାୟଙ୍କ ସଂଗ୍ରାମମୟ, ବିପ୍ଳବୀ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ।
ସେମାନେ କହିଥିଲେ- ଗଙ୍ଗାଧର ପାଇକରାୟଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ପଡ଼ିବା ସଙ୍ଗେ ସଙ୍ଗେ ୧୯୩୦ ଦଶକର ଦ୍ୱିତୀୟାର୍ଦ୍ଧରେ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ଚାଲିଥିବା କୃଷକ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନର ପ୍ରଭାବ ମଧ୍ୟ ପଡ଼ିଥିଲା । ରଣପୁରରେ ପଲିଟିକାଲ ଏଜେଣ୍ଟ ବଜେଲଗେଟ୍ଙ୍କୁ ହତ୍ୟା ପରେ ପୋଲିସ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ପଳାଇଆସିଥିବା ରଣପୁରର ହଜାର ହଜାର ନରନାରୀଙ୍କୁ ବୋଲଗଡ଼ ଓ ବେଗୁନିଆ ଅଞ୍ଚଳରେ ଶ୍ରୀ ପାଇକରାୟ ଆଶ୍ରୟ ଦେବା ସହିତ ଏଖରାତ ମାହାଲ ପ୍ରଜା ଆନ୍ଦୋଳନର ମଧ୍ୟ ନେତୃତ୍ୱ ନେଇଥିଲେ । ସ୍ୱାଧୀନତା ପରେ ୪ଥର ବିଧାନସଭା ସଦସ୍ୟ ଓ ସିପିଆଇ ବିଧାନସଭା ଦଳର ଦଳପତି ହୋଇଥିଲେ ।
Posted by: Desk, Indo Kaling Times