
ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଆଜି ଏକ ଛଅ ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଅପରାହ୍ନରେ ଖେଳଛୁଟି ସମୟରେ ପିଲାମାନେ ପଡ଼ିଆରେ ଖେଳୁଥିବା ବେଳେ ବିଦ୍ୟାଳୟ ପାଚେରୀ ମଧ୍ୟରେ ଏହି ସାପଟିକୁ ଦେଖି ବିଦ୍ୟାଳୟ ଦାୟିତ୍ଵରେ ଥିବା ଶିକ୍ଷକ କରୁଣାକର ମଲିକଙ୍କୁ ଜଣାଇଥିଲେ। ଖବର ପାଇବା କ୍ଷଣି ଶ୍ରୀ ମଲିକ ସାପକୁ ଦେଖି ତାକୁ ନ ମାରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇ ନିଜେ ଜଗି ରହି ମାଲକାନଗିରି ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ହେଲ୍ପ ଲାଇନର ଶରତ କୁମାର ମାଝି ଓ ହିମାଂଶୁ ଶେଖର ନାୟକ ଆସି ସାପଟିକୁ ଖୁବ୍ ସହଜରେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଜୀବଯନ୍ତୁ ଓ ସରୀସୃପ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ତେଣୁ ଏମାନଙ୍କର ସୁରକ୍ଷା ଅପରିହାର୍ଜ୍ୟ।
Posted by: Desk, Indo Kaling Times