ସାଲେପୁର, ଜୟରାମପୁର ପଂଚାୟତ ଆଜାଦ୍ ବଜାର ଠାରୁ ଫଗୋଳ ପଂଚାୟତ ଡଅଁରମୁହଁ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବର୍ଷା ଦିନ ଆରମ୍ଭରୁ ଉକ୍ତ ରାସ୍ତାଟି ଏତେ କର୍ଦ୍ଦମାକ୍ତ ହୋଇପଡିଛି ଯେ ଏଥିରେ ଯାତାୟାତ ସମ୍ଭବପର ହେଉନାହିଁ । ଆଗକୁ ଅଧିକ ବର୍ଷା ହେଲେ ଏହି ରାସ୍ତା ଦେଇ କିଭଳି ଲୋକମାନେ ଯାତାୟାତ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଉକ୍ତ କେନାଲ ବନ୍ଧ ରାସ୍ତାରେ ପ୍ରତ୍ୟେକ ଦିନ ୧୦ ଟି ଗ୍ରାମର ହଜାର ହଜାର ଲୋକ ବିଭିନ୍ନ ସ୍ଥାନକୁ ଯାତାୟାତ ପାଇଁ ନିର୍ଭର କରିଥାଆନ୍ତି । ବିଗତ ୩୦ ବର୍ଷ ହେବ ଏହି ରାସ୍ତାକୁ ପିଚୁ କିମ୍ବା ଢଳେଇ ରାସ୍ତାରେ ପରିଣତ କରିବା ପାଇଁ ପଂଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତରରେ, ଗ୍ରାମ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ନିକଟରେ ଲୋକମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ଵ ଦେଉ ନାହାଁନ୍ତି । ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଉନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଜରୁରୀକାଳିନ ପରିସ୍ଥିତିରେ ଦମକଳ, ଆମ୍ବୁଲାନ୍ସ ଏବଂ ଗ୍ୟାସ୍ ଡେଲିଭରି ପାଇଁ କୌଣସି ଗାଡି ଯାତାୟାତ କରିପାରୁନାହିଁ । ଏବେ ବର୍ଷା ହେବା ସାଙ୍ଗକୁ ରାସ୍ତାର ଗୋଟିଏ ପାର୍ଶ୍ଵ ଖୋଳାଯାଇ ପାନୀୟ ଜଳ ପାଇପ ଯାଉଥିବା ବେଳେ ଏହି ଖୋଳାଯାଇଥିବା ମାଟି ଗୁଡିକ ରାସ୍ତା ଉପରକୁ ପକାଯାଇଛି । ଏହାଦ୍ଵାରା ରାସ୍ତାସାରା ଚାରିଆଡେ କର୍ଦ୍ଦମାକ୍ତ ହୋଇଯାଇଛି । ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସ୍ଥାନୀୟ ଅଂଚଳର ଲୋକମାନେ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ।
ଏହି ରାସ୍ତାର ଅବସ୍ଥା ଏଭଳି ହୋଇଥିବା ସଂକ୍ରାନ୍ତରେ ବିଡିଓଙ୍କୁ ପଚାରିବାରୁ ଉକ୍ତ ରାସ୍ତାକୁ ଜଳସେଚନ ବିଭାଗର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ଟେଣ୍ଡର ମାଧ୍ୟମରେ ଖୁବ୍ ଶୀଘ୍ର ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି ।
Posted by: Desk, Indo Kaling Times