ସାଲେପୁର, କଟକ ଜିଲ୍ଲା ପରିମଳ ମିଶନ ଦ୍ଵାରା ନିର୍ମିତ ବିଘଟନ ଅବର୍ଜନା କୁଣ୍ଡର ସଠିକ୍ ବିନିଯୋଗ କରାଯାଉନଥିବା ସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଏହି କୁଣ୍ଡ ଉପରେ ଲଗାଯାଇଥିବା ଟିଣ ଆଜବେଷ୍ଟସକୁ ଖୋଲି ନିଆଯାଉଥିବା ଦେଖିବାକୁ ମିଳୁଛି । ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନତକାଇ ଗ୍ରାମ ପଂଚାୟତର ମୁକୁନ୍ଦପୁର ସମିତି ପଡିଆଠାରେ। ଏଠାରେ ଏକ ଜୈବ ବିଘଟନ ଅବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ଏହି କୁଣ୍ଡଟି ଗ୍ରାମବାସୀଙ୍କ ଦ୍ଵାରା ପରିବା ଚୋପା, ବାସି ଫୁଲ, ବଳକା ଖାଦ୍ୟ, ଡାଲି ଏବଂ ଓଦାଜାତୀୟ ବର୍ଜ୍ୟବସ୍ତୁ ବ୍ୟବହାର ପରେ ପକାଇବା ନିମନ୍ତେ ନିର୍ମାଣ କରାଯାଇଛି । ଜିଲ୍ଲା ଜଳ ପରିମଳ ମିଶନ ଦ୍ଵାରା କୋଟି କୋଟି ଟଙ୍କା ବ୍ୟୟରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକରେ ଏହି ଜୈବ ବିଘଟନ କୁଣ୍ଡ ନିର୍ମାଣ କରାଯାଇଛି । ହେଲେ ଏହାର ସଠିକ୍ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଘଟଣାରୁ ପ୍ରକାଶ, ନିଶ୍ଚିନ୍ତକୋଇଲି ବ୍ଲକର ନତକାଇ ପଂଚାୟତରେ ଏଭଳି ଏକ କୁଣ୍ଡ ନିର୍ମାଣ କରାଯାଇଛି । ଏହି କୁଣ୍ଡ ଗୁଡିକ ନିର୍ମାଣ କରାଯାଇ ଦୀର୍ଘ ଦିନ ହେଲା କାର୍ଯ୍ୟକାରୀ ନହେବାରୁ ଏହି କୁଣ୍ଡ ଗୁଡିକ ଏକରକମ ନଷ୍ଟ ହୋଇଗଲାଣି । ସାଧାରଣରେ ଆଲୋଚନା ହେଉଛି ଯେ, ପଂଚାୟତରେ ଠିକାଦାରମାନଙ୍କୁ ନିଯୁକ୍ତି କରାଯାଇ ଏହି ଜୈବ ବିଘଟନ କୁଣ୍ଡ ନିମ୍ନମାନର ନିର୍ମାଣ କରି ଅର୍ଥ ଆତ୍ମସାତ୍ କରାଯାଉଛି । କେନ୍ଦ୍ର ସରକାରଙ୍କର ସ୍ଵଚ୍ଛ ଭାରତ ଯୋଜନାରେ ଗାଁର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏହି କୁଣ୍ଡର ନିର୍ମାଣ କରାଯାଇଥିଲା । ହେଲେ ନତକାଇ ପଂତାୟତର ମୁକୁନ୍ଦପୁର ସମିତି ପଡିଆରେ ନିର୍ମିତ ହୋଇଥିବା ଜୈବ ବିଘଟନ କୁଣ୍ଡ ନିର୍ମାଣର ଅଳ୍ପ କିଛି ଦିନ ପରେ ତାହାର ଛାତର ଟିଣ କେହି ଖୋଲି ନେଇଯାଇଥିବା ଶୁଣିବାକୁ ମିଳିଛି । ଯାହାଫଳରେ କି ସରକାରଙ୍କ ଯୋଜନା ଏଠାରେ ବାଟବଣା ହେବାରେ ଲାଗିଛି । ଲୋକଙ୍କ ସ୍ଵାର୍ଥରେ କାର୍ଯ୍ୟ କରୁଥିବା ଜୈବ ବିଘଟନ କୁଣ୍ଡକୁ କିଛି ନିର୍ଦ୍ଦିଷ୍ଟ ଦଳର ଲୋକ ନେଇଯାଇଥିବା ସାଧାରଣରେ ଆଲୋଚନା ହେଉଛି ।
Posted by: Desk, Indo Kaling Times