ସାଲେପୁର, ଚଳିତ ଖରିଫ ଧାନ ଚାଷ ପାଇଁ ଆସନ୍ତା ୧୫ ତାରିଖରେ କେନାଲରେ ପାଣି ଆସିବାର ଜଣାଯାଇଛି । ହେଲେ ଅଦ୍ୟାବଧି କଟକ ଡ୍ରେନେଜ୍ ବିଭାଗ ଅଧିନରେ ଥିବା ୧୯ ନଂ ଡ୍ରେନେଜ୍ କଟ୍ କୁ ଅଧା ସଫେଇ କରାଯାଇଥିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ଡ୍ରେନେଜ୍ କଟ୍ କୁ ସଂପୂର୍ଣ୍ଣ ଭାବେ ସଫେଇ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । କଟକ ଡ୍ରେନେଜ୍ ଡିଭିଜନ ଅଧିନରେ ଥିବା ୧୯ ନଂ ଡ୍ରେନେଜ୍ କଟ୍ଟି ପାଟପୁର ପାଖରୁ ବାହାରି ରାମକୃଷ୍ଣପୁର (ପାଟପାରୀ) ହୁକ୍ଟୁଲା ପର୍ଯ୍ୟନ୍ତ ଯାଇଛି । ୬ କି.ମି ବ୍ୟାପୀ ଉକ୍ତ ଡ୍ରେନେଜ୍ କଟ୍ ଟି ବିଗତ ୩ ବର୍ଷ ହେବ ସଫେଇ କରାଯାଇନଥିବାରୁ ଏହାର ଦୁଇ ପାର୍ଶ୍ଵ ବନ୍ଧ ଓ ଭିତରେ ପ୍ରବଳ ଖରି ଗଛ ଉଠି ବଣ ସଦୃଶ ପାଲଟିଛି । ବିଭାଗ ପକ୍ଷରୁ ଠିକାଦାର ଦ୍ଵାରା ଗତ ୧୨ ଦିନ ତଳେ ଏହି ୧୯ ନଂ ଡ୍ରେନେଜ୍ କଟ୍ କୁ ପାଟପୁରଠାରୁ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସଫେଇ କାର୍ଯ୍ୟ ୩ କି.ମି. ହେବା ପରେ ଠିକାଦାର ଜଣକ କାର୍ଯ୍ୟ ବନ୍ଦ କରି ଜେସିବି ମେସିନ ଉଠାଇ ନେଇଥିଲା । ଅବଶିଷ୍ଟ ୩ କି.ମି. ସଫେଇ କରାଯାଇନଥିବାରୁ ବର୍ଷା ଜଳ ନିଷ୍କାସନ ହେବାର ବ୍ୟାପକ ପ୍ରତିବନ୍ଧକ ସୃଷ୍ଟି ହେବ । ବର୍ଷା ଜଳ ନିଷ୍କାସନ ହୋଇ ନପାରିଲେ ଶହ ଶହ ହେକ୍ଟର ଚାଷ ଜମିରେ ଧାନ ଚାଷ ଉଜୁଡି ଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହି ଡ୍ରେନେଜ୍ କଟ୍ ଉପରେ ପାଟପୁର, ଜିଗ୍ନିପୁର, ମହାଜନପୁର, ଛୁଆଳିଆ, ଲାଲବାଗ୍, ରାମକୃଷ୍ଣପୁର, ଫଗୋଳ, ଜଗନ୍ନାଥପୁର, ପାଟପାରୀ, ନହଙ୍ଗ, ଭଉଁରିଆ ଆଦି ଗ୍ରାମର ୧୧ ହଜାର ଚାଷୀ ବର୍ଷା ଜଳ ନିଷ୍କାସନ ପାଇଁ ନିର୍ଭର କରିଥାଆନ୍ତି । ଏହାକୁ ସଫେଇ କରାଯାଉନଥିବାରୁ ଏହି ଗ୍ରାମର ଚାଷୀମାନେ ଧାନ ଚାଷ ପାଇଁ ସମସ୍ୟାରେ ପଡିବେ ବୋଲି ପ୍ରକାଶ କରିଛନ୍ତି । କ’ଣ ପାଇଁ ଏହି ଡ୍ରେନେଜ୍ କଟ୍ କୁ ଅଧା ସଫେଇ କରାଯାଇ ବନ୍ଦ କରାଯାଇଛି ସେ ସଂକ୍ରାନ୍ତରେ ସଂପୃକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସନ୍ଦିପ୍ କୁମାରଙ୍କୁ ପଚାରିବାରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ସଫେଇ ପାଇଁ ଯେତିକି ଅର୍ଥ ବରାଦ କରାଯାଇଥିଲା ସେହି ୫ ଲକ୍ଷ ଟଙ୍କାରେ କାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ସଫେଇ ପାଇଁ କୌଣସି ଅର୍ଥ ବରାଦ କରାଯାଇନଥିବାରୁ ଏହାକୁ ସଫେଇ କରାଯାଇ ପାରୁନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅନୁଦାନ ଆସିଲେ ସଫେଇ କାର୍ଯ୍ୟ ତ୍ଵରାନ୍ବିତ ହେବ ବୋଲି ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଚାଷ କାର୍ଯ୍ୟ ଆରମ୍ଭ ହେଲେ ଉକ୍ତ ଡ୍ରେନେଜ୍ କଟ୍ କୁ ଆଉ ସଫେଇ କରାଯାଇ ପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।
Posted by: Desk, Indo Kaling Times