ଭୁବନେଶ୍ୱର, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି । ସର୍ବଭାରତୀୟ ସ୍ତରରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି । ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୈା ଗୁରୁତ୍ୱ ଦେଉନଥିବାର ଏହି ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୫-ଟି ସ୍କୁଲକୁ ନେଇ ରାଜ୍ୟ ସରକାର ବହୁ ପ୍ରଚାର ପ୍ରସାର କରିବା ସହ ବିଜ୍ଞାପନ ନାଁରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ରାଜ୍ୟ ସରକାର ଶାସନ ନୁହେଁ ବରଂ କ୍ଷମତା ଲୋଭରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ବଳି ପକାଇବାରେ ପଛଘୁଂଚା ଦେଉନାହାନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଡ.ଲେଖାଶ୍ରୀ କହିଛନ୍ତି ଯେ, ପିଜିଆଇ ରିପୋର୍ଟ ପ୍ରକାଶ ପାଇବା ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ବିଜେଡିର ସାଂସଦ ସସ୍ମିତ ପାତ୍ର ଆଗଭରା ହୋଇ ଗଣମାଧ୍ୟମରେ ବିବୃତି ଦେଲେ, ଯାହାକି ସଂପୂର୍ଣ୍ଣ ଅବାସ୍ତବ ଓ ଅଯୌକ୍ତିକ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ୟୁଡିଆଇଏସଇ ପୋର୍ଟାଲ ଜରିଆରେ ଦାଖଲ କରାଯାଉଥିବା ଏହାର ଆଇଡି ଏବଂ ପାସୱାର୍ଡ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଆକଳନ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ୭୩ଟି ସୂଚକାଙ୍କ ଆଧାରରେ ହଜାରେ ପଏଂଟ(ସ୍କୋର)କୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା । ସେଥିରୁ ଓଡ଼ିଶା ୫୧୭.୧ସ୍କୋର ହାସଲ କରି ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ୨୪ତମ ସ୍ଥାନରେ ‘ଆକାଂକ୍ଷୀ-୨’ କ୍ୟାଟେଗୋରୀରେ ରହିଛି । କେନ୍ଦ୍ର ଓ ରାଜ୍ୟର ମିଶ୍ରିତ ଉଦ୍ୟମରେ ପିଜିଆଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ଯଦି ଶ୍ରୀ ପାତ୍ରଙ୍କ ସମେତ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ନଜାଣି ରିପୋର୍ଟ ଉପରେ ତଥ୍ୟ ରଖୁଛନ୍ତି ତାହାଲେ ସେମାନେ ଆସନ୍ତୁ ଆମେ ବୁଝାଇ ଦେବୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ରାଜ୍ୟରେ ବିଦ୍ୟୁତ ସଂଯୋଗ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୧୧୭୧୦ । ସେହିପରି ଖେଳପଡିଆ ନଥିବା ବିଦ୍ୟାଳୟ ସଂଖ୍ୟା ୨୧୦୬୫; କଂପ୍ୟୁଟର ନଥିବା ବିଦ୍ୟାଳୟ ସଂଖ୍ୟା ୪୧୯୯୬; ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା ବିଦ୍ୟାଳୟ ସଂଖ୍ୟା ୬୭୮୧ ଏବଂ ପିଟିଆର ଅନୁଯାୟୀ ଆବଶ୍ୟକୀୟ ଶିକ୍ଷକ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୬୦୧୧ ବୋଲି ଗତ ବିଧାନସଭା ଅଧିବେସନରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତର ଦେଇଛନ୍ତି । ହାଇସ୍କୁଲ ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ଦୁର୍ବଳ ଥିବାର ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ ବିଜେଡି ବିଧାୟକ ଧୃବ ଚରଣ ସାହୁଙ୍କ ପ୍ରଶ୍ନର ଉତରରେ କହିଛନ୍ତି । ରାଜ୍ୟରେ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ଖାଲି ପଡିଛି । ରାଜ୍ୟରେ ଡ୍ରପ ଆଉଟ ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । କିଛି କାରଣ ନଦର୍ଶାଇ ରାଜ୍ୟ ସରକାର ହଠାତ୍ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅପସରଣ କରିଦେଲେ । ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଏବଂ ଖରାପ ପ୍ରଦର୍ଶନ ଲାଗି ବଦଳି ହୋଇଛି ବୋଲି ମିଥ୍ୟା ପ୍ରହସନ କରୁଛନ୍ତି ନା ପିଜିଆଇ ରିପୋର୍ଟ ଜାଣିବା ପରେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ବଦଳାଉଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ଓଡ଼ିଶାରେ ଦିନକୁ ଦିନ ସ୍କୁଲ ଶିକ୍ଷାରମାନ ତଳକୁ ଖସିଲାଣି । ୫-ଟି ସ୍କୁଲ ନାଁରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଠକୁଛନ୍ତି । ୫-ଟି ନାମରେ ସ୍କୁଲରେ ରଙ୍ଗ ବୋଳିଦେଲେ ଶିକ୍ଷାରମାନ ବୃଦ୍ଧି ହୁଏନି ବରଂ ଶିକ୍ଷା ପାଇଁ ଶିକ୍ଷକଙ୍କ ଆବଶ୍ୟକତା ରହିବା ସହ ଆବଶ୍ୟକୀୟ ଭିତିଭୁମି ଓ ପାଠ୍ୟବହିର ମଧ୍ୟ ଆବଶ୍ୟକ ଅଛି । ରାଜ୍ୟ ସରକାର ସେସବୁର ସମାଧାନ ନକରି ୫-ଟି ନାଁରେ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Posted by: Desk, Indo Kaling Times