ବଲାଙ୍ଗିର, ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀମତୀ ପ୍ରେମମଞ୍ଜରୀ ସିଂଦେଓଙ୍କ ସଭାପତିତ୍ଵ ଓ ରାଜ୍ୟ ସଂଯୋଜକ ବଳଦେବପ୍ରସାଦ ବେଦବାକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚିତ୍ରକୁଟର ରାଷ୍ଟ୍ରୀୟବାଦ ପ୍ରଚାରକ ସ୍ଵାମୀ ସୀତାରାମ ଶରଣ, ସମ୍ମାନୀତ ଅତିଥି ଭାବରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ, ବରିଷ୍ଠ ବିଜେପି ନେତା ଅନନ୍ତ ଦାସ, ବଳରାମସିଂ ଯାଦବ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସଂପ୍ରତି ଦେଶରେ ସମାନସଂହିତା (ୟୁସିସି) ବିଲକୁ ନେଇ ଯେଉଁ ଆଲୋଚନା ଆରମ୍ଭ ହୋଇଛି ତାହାକୁ ବୈଠକରେ ସମର୍ଥନ କରାଯାଇଥିଲା । ଏହା ଫଳରେ ଦେଶରେ ସମସ୍ତେ ସମାନ ସାମ୍ବିଧାନିକ ଅଧିକାର ପାଇବେ ବୋଲି ମତପ୍ରକାଶ ପାଇଥିଲା । ସେହିପରି ଆସନ୍ତା ବିଶ୍ଵଜନସଂଖ୍ୟା ଦିବସରେ ଦେଶରେ ସମସ୍ତେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୁଇଟି ସନ୍ତାନ ପଲିସି ନିୟମ ଲାଗୁ କରିବାକୁ ଦାବି କରାଯାଇଥିଲା । ଏହି ନିୟମ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଫାଉଣ୍ଡେସନ ତରଫରୁ ୫ କୋଟି ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରେରଣ କରିବାକୁ ଆଲୋଚନା କରାଯାଇଥିଲା ।
ସ୍ଵାମୀଜୀ ତାଙ୍କ ବକ୍ତବ୍ୟରେ ଭାରତରେ ହିନ୍ଦୁତ୍ଵର ସୁରକ୍ଷା କରିବା ତଥା ସମସ୍ତଙ୍କ ପାଇଁ ସମାନ ଆଇନ ବ୍ୟବସ୍ଥା କରିବାକୁ ସମସ୍ତେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି ବୈଠକରେ ଧର୍ମନିରଂଜନ ପଣ୍ଡା, ସୋନପୁର ଜିଲ୍ଲା ସଂଯୋଜକ କେଦାର ଦାସ, ଅନୀଲ ପାଣିଗ୍ରାହୀ, ବ୍ୟସଦେବ ମିଶ୍ର, ସୁରେଶ ପାତ୍ର, ସୋନପୁର ମହିଳାମୋର୍ଚ୍ଚା ସଭନେତ୍ରୀ ପୂର୍ଣ୍ଣିମା ସା, ରାଜ୍ୟ ମହିଳା ସଂପାଦିକା ସୁନନ୍ଦା ସାହୁ, ବଲାଙ୍ଗୀର ଜିଲ୍ଲା ସୋସିଆଲ ମିଡିଆର ସମରେଶ ମିଶ୍ର, ଜିଲ୍ଲା ସଂପାଦକ ରାଜୁ ଜୟସ୍ଵାଲ, ଅନିରୁଦ୍ଧ ଦଳବେହେରା, ବରଗଡର ରାଧେଶ୍ୟାମ ଦଣ୍ଡସେନା, ପଦ୍ମପୁର ସାଂଗଠିନିକ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଜାଲ, ସଂପାଦକ ରହିମ ମେହେର ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଯୋଗଦେଇଥିଲେ ।
Posted by: Desk, Indo Kaling Times