
ଗଞ୍ଜାମ, ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ନିକଟରେ ଆସିକା ରୋଡ଼ ଅଂଚଳର ନୀଳମାଧବ ପାଢ଼ୀଙ୍କ ଟ୍ରକ୍ ନଂ ଓଡ଼ି୦୭-ବି୭୭୭୪ ଗତ ୪ ତାରିଖ ରାତିରେ ଘର ସମ୍ମୁଖରେ ରହିଥିବା ବେଳେ ତାର ପରଦିନ ଅର୍ଥାତ୍ ୫ ତାରିଖ ଭୋର୍ ୪ଟା ସମୟରେ ସେଠାରୁ ଚୋରି ହୋଇଥିଲା । ଏ ସମ୍ପର୍କରେ ନୀଳମାଧବଙ୍କ ପତ୍ନୀ ସସ୍ମିତା ଦାଶ ବଡବଜାର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତି କରି ବଡବଜାର ଥାନା ପୋଲିସ ୨୩୭/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଭଞ୍ଜନଗର ଟ୍ରକ୍ ମାଲିକ ସଂଘର ସହଯୋଗରେ ପୋଲିସ ଗଞ୍ଜାମ-କନ୍ଧମାଳ ସୀମାବର୍ତି ଅଂଚଳରୁ ଚୋରି ଟ୍ରକ୍ କୁ ଜବତ କରିବା ସହ ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବଧାପାଟଣା ଗ୍ରାମର ସତ୍ୟଜିତ ମହାନ୍ତି (୨୮) ଓ ଢ଼େଙ୍କାନାଳ ଜିଲ୍ଲା ବାଲିମି ଥାନା ଅଧିନ ଅସାରଡ଼ା ଗ୍ରାମର ଆଶିଷ ସାହୁ (୧୯) । ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଦ୍ଵୟ ପୂର୍ବରୁ ଟ୍ରକ୍ ଟାୟାର୍, ହୁଇଲ୍ ଡିସ୍କ, ଇଞ୍ଜିନ ପାର୍ଟସ ସମେତ ଡିଜେଲ ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି । ସମ୍ବଲପୁର ଓ କଟକ ଜିଲ୍ଲାର ଦୁଇଟି ମାମଲାରେ ସେମାନେ ପୂର୍ବରୁ ଗିରଫ ହୋଇଥିବା ବେଳେ ଗତ ମଇ ମାସରେ ଚମାଖଣ୍ଡି ଥାନା ଅଂଚଳରେ ଘଟିଯାଇଥିବା ଟ୍ରକ୍ ଚୋରି ମାମାଲାରେ ମଧ୍ୟ ସମ୍ପୃକ୍ତ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
Posted by: Desk, Indo Kaling Times