ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଖୁଟଗାଁ ଫାଇଭ-ଟି ରୂପାନ୍ତରଣ ହାଇସ୍କୁଲର ବିଭିନ୍ନ କୋଠରୀରର ଛାତରୁ କଂକ୍ରିଟ ଖଣ୍ଡ ଖସିବା ଏବେ ନିତିଦିନିଆ କଥା ହୋଇଛି । ଗତ ୫ ତାରିଖ ପୂର୍ବାହ୍ନରେ ସ୍କୁଲ ଚାଲିଥିବା ବେଳେ ଛାତରୁ କଂକ୍ରିଟ ଖଣ୍ଡ ଖସିଥିଲା । ତେବେ ଏଥିରେ କେହି ଆହତ ହୋଇନଥିଲେ । ଏବେ ଏହି ଘଟଣାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ହାଇସ୍କୁଲର ବିଭିନ୍ନ କୋଠରୀ ଛାତରୁ ସିମେଂଟ ଖଣ୍ଡ ଖସୁଥିବା ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଆତଙ୍କ ସୃଷ୍ଟି ହୋଇଛି । କେତେବେଳେ ଯେ କାହା ମୁଣ୍ଡରେ ସିମେଂଟ କଂକ୍ରିଟ ଖଣ୍ଡ ପଡି ଆଘାତ ନଲାଗିବ ତାହା କିଏ କହିବ । ତାକୁ ନେଇ ଏବେ ଚିନ୍ତାରେ ବିଦ୍ୟାଳୟ କର୍ତୃପକ୍ଷ । ଦୀର୍ଘ ବର୍ଷେ ତଳେ ଏହି ବିଦ୍ୟାଳୟକୁ ଫାଇଭ-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲା । ସ୍ଥାନୀୟ ଠିକାଦାର ମାନଙ୍କୁ ଏହାର ନବିକରଣ ଦାୟିତ୍ୱ ଦିଆଯାଇଥିଲା । ତେବେ କାମ ଚାଲିଥିଲା ବେଳେ ଠିକାଦାର ମାନେ ମନମାନି କରି ନିମ୍ନମାନର କାର୍ଯ୍ୟ କରିଥିଲେ ସୁଦ୍ଧା ଏନେଇ କେହି ମୁହଁ ଖୋଲି ନଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏସବୁ ଦେଖି ନିରବ ରହୁଥିଲେ । ସମସ୍ତଙ୍କ ମନରେ ଭୟ ଫାଇଭ-ଟି କଥା, ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଠିକାଦାର ଅସନ୍ତୁଷ୍ଟ ହେଲେ ରାସ୍ତାରେ ଗୁଣ୍ଡାଙ୍କ ଆକ୍ରମଣ, ସେପଟେ ଏହା ପଛରେ ରହିଥିବା ରାଜନୈତିକ ଶକ୍ତି ମଧ୍ୟ ଅସନ୍ତୁଷ୍ଟ ହୋଇ କ୍ଷତି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ତେବେ ଏହି ଉପଖଣ୍ଡରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ତହସିଲଦାରଙ୍କ ସମେତ ଜିଲ୍ଲାରେ ଜଣେ ଟାଣୁଆ ଶିକ୍ଷା ଅଧିକାରୀ ମଧ୍ୟ ରହିଛନ୍ତି । ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସମୟରେ ଉପଖଣ୍ଡ ଗସ୍ତରେ ଆସୁଛନ୍ତି । ନିମ୍ନ ମାନର କାର୍ଯ୍ୟକୁ ନେଇ କେହି ତଦାରଖ କଲେ ନାହିଁ କିମ୍ବା ପଦେ କହିଲେ ନାହିଁ, ଏବେ ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀ । ଏହା କେବଳ ବଣେଇ ଉପଖଣ୍ଡ ଖୁଟଗାଁ ହାଇସ୍କୁଲର ଚିତ୍ର ନୁହେଁ ସମଗ୍ର ଜିଲ୍ଲାରେ ଫାଇଭ୍ -ଟି ଅଧିନରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କାର୍ଯ୍ୟକୁ ନେଇ ପୂର୍ବରୁ ଯେଉଁ ସନ୍ଦେହ ରହିଥିଲା, ସେସବୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ଯେ, ଏ ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ଆସିବା ପରେ ବଣେଇ ଆଇଟିଡିଏ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇ ଏହି କାମ କରାଯାଇଥିବା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଜିଲ୍ଲା ପ୍ରଶାସନ ମାଗିବା ସହ କାହିଁକି ବିଦ୍ୟାଳୟ ଶ୍ରେଣୀଗୃହର ଛାତରୁ ଏଭଳି କଂକ୍ରିଟ ଖଣ୍ଡ ଖସୁଛି ତାହାର ତଦନ୍ତ ଆରମ୍ଭ କରାଯାଇଛି । ଖାଲି ବଣେଇ ଉପଖଣ୍ଡ ନୁହେଁ ସମଗ୍ର ଜିଲ୍ଲାରେ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ ବାବଦରେ ଯେଉଁ କାର୍ଯ୍ୟ ସବୁ କରାଯାଇଛି, ସେଥିରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇ ବ୍ୟାପକ ମୁନାଫା ଉଠାଯାଇଥିବା ସମ୍ପର୍କରେ ଅନେକ ଅଭିଯୋଗ ହୋଇଥିଲା । ଗୋଟିଏ ପକ୍ଷରେ ଫାଇଭ୍-ଟିର ଭୟ ଓ ଅନ୍ୟପକ୍ଷରେ ଦଳୀୟ ଠିକାଦାରମାନେ ଏହିସବୁ କାର୍ଯ୍ୟ କରୁଥିବାରୁ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଭିଲେଜ୍ କମିଟି ଏସବୁ ଦେଖି ମଧ୍ୟ ଭୟରେ ମୁହଁ ଖୋଲିବାକୁ ସାହାସ କରୁନଥିଲେ । ଏହାର ଫାଇଦା ନେଇ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାନେ ଚାଲି ଯାଇଥିବା ବେଳେ ତାହାର ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ । ତେବେ ନିମ୍ନମାନର କାର୍ଯ୍ୟକୁ ନେଇ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏ ସମସ୍ତ ଅନିୟମିତତା ବାବଦରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
Posted by: Desk, Indo Kaling Times