-
ବିଏସଏଫର ଡିଆଇଜି ଏସ ଏସ ଗୁଲେରିଆ ଦେଲେ ବକ୍ତବ୍ୟ
କୋଲକାତା, ପଶ୍ଚିମ ବଙ୍ଗରେ ପଂଚାୟତ ନିର୍ବାଚନରେ ଶନିବାର ଦିନ ମତଦାନ ସମୟରେ ବ୍ୟାପକ ହିଂସା ହୋଇଥିଲା । ଏଥିରେ ଅନ୍ୟୂନ 17 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସାରା ଦେଶରେ ବିତର୍କର ବିଷୟ ହୋଇଛି । ତେବେ ଏହି ହିଂସାକୁ ନେଇ ଏବେ ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିଛି ।
ପଂଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ କୋ ଅର୍ଡିନେସନ ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବଳ ବା ବିଏସଏଫର ଡିଆଇଜି ଏସଏସ ଗୁଲେରିଆ କହିଛନ୍ତି ଯେ ମତଦାନ ପୂର୍ବ ଯାଏ କେନ୍ଦ୍ରୀୟ ବଳ କେଉଁଠାରେ ମୁତୟନ କରା ଯିବ ସେଥି ନେଇ ସୂଚନା ଦେବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନ ଏହି ସୂଚନା ପ୍ରଦାନ କରି ନ ଥିଲା । ତାଙ୍କର ଏହି ବକ୍ତବ୍ୟ ପରେ ପଶ୍ଚିମ ବଙ୍ଗର ରାଜ୍ୟ ନିର୍ବାଚନ କମିଶନର ଏହି ହିଂସାକୁ ନେଇ କାଠଗଡାରେ ଆସି ଯାଇଛନ୍ତି ।
ବିଏସଏଫର ଡିଆଇଜି ଗୁଲେରିଆ ରବିବାର ଦିନ କହିଛନ୍ତି ଯେ ଯେଉଁ ଯେଉଁ ସ୍ଥାନରେ କେନ୍ଦ୍ରୀୟ ବଳକୁ ମୁତୟନ କରାଯାଇଥିଲା ସେଠାରେ କୌଣସି ପ୍ରକାର ହିଂସା ହୋଇ ନାହିଁ । ଯେଉଁ ଠାରେ ହିଂସା କରିବାର ଚେଷ୍ଟା କରାଯାଇଥିଲା ସେହି ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳର ଜବାନ ମାନେ ତାକୁ ନିଷ୍ପ୍ରଭାବୀ କରି ଦେଇଥିଲେ । ଯେଉଁ ସବୁ ସ୍ଥାନରେ ମାରପିଟ, ହିଂସା, ହତ୍ୟା ଭଳି ଘଟଣା ଘଟିଥିବାର ସୂଚନା ରହିଛି ସେହି ସ୍ଥାନ ମାନଙ୍କରେ କେନ୍ଦ୍ରୀୟ ବଳର ଜବାନ ମାନେ ମୁତୟନ ହୋଇ ନ ଥିଲେ ।
ସେ ଆହୁରି କହିଛନ୍ତି ଯେ ଗତ ଜୁନ ମାସ ପାଂଚ ତାରିଖ ଠାରୁ ରାଜ୍ୟ ନିର୍ବାଚନ କମିଶନର ରାଜୀବ ସିହ୍ନାଙ୍କୁ ବିଏସଏଫ ପକ୍ଷରୁ ଲଗାତାର ଭାବେ ପତ୍ର ଲେଖା ଯାଇ ସମ୍ବେଦନଶୀଳ ଓ ହିଂସା ହେବାର ଆଶଙ୍କା ରହିଥିବା ମତଦାନ କେନ୍ଦ୍ର ସମ୍ପର୍କରେ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଥିଲା । ଏହି ସୂଚନା ଆଧାରରେ ଉକ୍ତ ସ୍ଥାନ ମାନଙ୍କରେ କେନ୍ଦ୍ରୀୟ ବଳକୁ ମୁତୟନ କରାଯିବ ବୋଲି ଏହି ଅନୁରୋଧ ବାରମ୍ବାର କରାଯାଇଥିଲା । ମାତ୍ର ଶେଷ ସମୟ ଯାଏ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇ ନ ଥିଲା । ଶେଷ ସମୟ ଯାଏ କେଉଁ ଜିଲ୍ଲାରେ କେତେ ସଂଖ୍ୟାର ମତଦାନ କେନ୍ଦ୍ର ରହିଛି ତାର ସୂଚନା ଦିଆଯାଇଥିଲା । ହେଲେ ଉକ୍ତ ମତଦାନ କେନ୍ଦ୍ର ଗୁଡିକର ଲୋକେସନ, ତାର ନାମ ଆଦି ବିଷୟରେ କୌଣସି ପ୍ରକାର ସୂଚନା ଶେଷ ଯାଏ ଦିଆ ଯାଇ ନ ଥିଲା । ଏଭଳି ସ୍ଥିତି କାରଣରୁ ସୁରକ୍ଷା ବଳ ମୁତୟନ କରାଯିବା ସମ୍ପର୍କରେ ଅସୁବିଧା ହୋଇଥିଲା । ନିର୍ବାଚନ କମିଶନ କହିଥିଲେ ଯେ ଜିଲ୍ଲା ପ୍ରଶାସନ ଆପଣ ମାନଙ୍କୁ ମୁତୟନ କରିବ ।
Posted by: Desk, Indo Kaling Times