ଭୁବନେଶ୍ୱର – ଖୋର୍ଦ୍ଧାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିବାକୁ ନେଇ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ସ୍ମାରକପତ୍ରରେ କୁହାଯାଇଛି ଯେ, ନିକଟରେ ଖୋର୍ଦ୍ଧାର ଶିଶୁରୋଗ ଚିକିତ୍ସକ ଏବଂ ଔଷଧ ଦୋକାନୀଙ୍କ ଉପରେ ଦୁର୍ବୃର୍ତ ଗୁଳି ଚଳାଇ ଯେଭଳି ଜନଗହଳିପୂର୍ଣ୍ଣ ଅଂଚଳରେ ପଳାଇଗଲେ ତାହା ତଦନ୍ତ ସାପେକ୍ଷ । ଡାକ୍ତରଙ୍କୁ ବଂଚାଇବାକୁ ଯାଇ ଔଷଧ ଦୋକାନୀ ନିଜେ ମୃତୁ୍ୟବରଣ କଲେ ।
ଏହାପୂର୍ବରୁ ଅନେକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଚାଲିଛି । ଗୁଳିକାଣ୍ଡ ଏବଂ ହତ୍ୟା ଏଠାରେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଏହାବ୍ୟତୀତ ମାତ୍ର ୧୦/୧୫ କି.ମି. ପରିଧି ମଧ୍ୟରେ ବ୍ରାଉନସୁଗାର କାରବାର, ଜମି ବ୍ୟବସାୟ ଆଦିକୁ ନେଇ ବାରମ୍ବାର ନାନାଦି ବିଶୃଙ୍ଖଳିତ ତଥା ଅଭାବନୀୟ କାଣ୍ଡ ଘଟୁଛି । ବିଶେଷକରି ଜାତୀୟ ରାଜପଥ ଏବଂ ସଂଲଗ୍ନ ଗ୍ରାମ୍ୟ ରାସ୍ତାଗୁଡ଼ିକରେ ରାତ୍ର ୯ ଘଟିକା ଠାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗାଡ଼ିଲୁଟ୍, ଚେନ୍ଲୁଟ୍ ଓ ଡକାୟତି ଆଦି ଘଟଣା ନିତିଦିନିଆ ହୋଇଗଲାଣି ।
ବାରମ୍ବାର ଖୋର୍ଦ୍ଧା ବନ୍ଦ, ବିଭିନ୍ନ ସମୟରେ ବ୍ୟାପକ ଆନେ୍ଦାଳନ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ପୋଲିସ୍ର ରାତ୍ରୀକାଳୀନ ପେଟ୍ରୋଲିଂ ମଧ୍ୟ ନାହିଁ କହିଲେ ଚଳେ । ଯାହାଫଳରେ ଜନସାଧାରଣଙ୍କ ପୋଲିସ୍ ଉପରୁ ଆସ୍ଥା ତୁଟିବାକୁ ବସିଲାଣି । ତେଣୁ ଏ ସମସ୍ତ ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର ।
ଏହିପରି ଆଇନ୍ଶୃଙ୍ଖଳା ପରିସ୍ଥିତି ଲାଗିରହିଲେ ଆଗକୁ ଖୋର୍ଦ୍ଧା ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି । ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ବ୍ୟତୀତ ଶ୍ରୀରଞ୍ଜନ ମଙ୍ଗରାଜ, ଦେବବ୍ରତ ଆଚାର୍ଯ୍ୟ, ନବକିଶୋର ବଳିଆରସିଂ ପ୍ରମୁଖ ସାମିଲ ଥିଲେ ।