ଗଞ୍ଜାମ- ଗଞ୍ଜାମ ଜିଲ୍ଲାରୁ ଆଜି ପୁଣି ଥରେ ଧରାପଡିଛନ୍ତି ୫ ଜଣ ନକଲି ଶିକ୍ଷକ । ଏହି ନକଲି ଶିକ୍ଷକ ମାନଙ୍କ ମଧ୍ୟରୁ ବେଗୁନିଆ ପଡ଼ାରୁ ୨ ଜଣ, ଶେରେଗଡ଼ରୁ ୨ ଜଣ ଓ କବିସୂର୍ଯ୍ୟନଗର ଅଂଚଳରୁ ଜଣେ ରହିଥିବା ଜଣାପଡିଛି ।
ସମ୍ପୃକ୍ତ ନକଲି ଶିକ୍ଷକ ମାନେ ହେଲେ ବେଗୁନିଆପଡ଼ା ବ୍ଲକ୍ ଅଂଚଳର ସୁଜାତା ପଣ୍ଡା ଓ ପରମାନନ୍ଦ ସାହୁ, ଶେରେଗଡ଼ ବ୍ଲକ୍ ଅଂଚଳର ସଞ୍ଜୟ କୁମାର ଖଟୁଆ ଓ ଭଗବାନ ମହାନ୍ତି ଏବଂ କବିସୂର୍ଯ୍ୟନଗର ବ୍ଲକ୍ ର ଭିକାରୀଚରଣ ସାହୁ । ଏମାନେ ସିଟି ସାର୍ଟିଫିକେଟକୁ ଜାଲିଆତି କରିବା ସହ ଏହି ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀ କରୁଥିବା ସ୍ପଷ୍ଟ ହୋଇଛି । ଉକ୍ତ ଜାଲିଆତି ଧରାପଡିବା ପରେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ (ଡ଼ିଇଓ) ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସମାନ ଘଟଣାରେ ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି ।