
ମାଲକାନଗିରି, ରାଜ୍ୟକୁ ମୌସୁମୀ ଛୁଇଁବା ପରେ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଗତ ବର୍ଷ ମାଲକାନଗିରିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଯାହା ଉପରେ ରୋକ୍ ଲଗାଇବା ମୁସ୍କିଲ୍ ହୋଇପଡ଼ିଥିଲା ସ୍ଵାସ୍ଥ୍ୟ ବିଭାଗ ପାଇଁ । ତା ସହିତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ମଧ୍ୟ ଚ୍ୟାଲେଞ୍ଜ୍ ହୋଇଥିଲା । ଏହାରି ଭିତରେ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ପ୍ଲେଟ୍ଲେଟ୍ ସମସ୍ୟା । ରକ୍ତରେ ପ୍ଲେଟ୍ଲେଟ୍ ଅଚାନକ ହ୍ରାସ ପାଇବା ଦ୍ବାରା ରୋଗୀ ଗୁରୁତର ହୋଇ ପାରନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ବଞ୍ଚାଇବା ପାଇଁ ବାରମ୍ବାର ପ୍ଲେଟ୍ଲେଟ୍ ଦେବାକୁ ପଡେ । ହେଲେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍ଲେଟ୍ ମେସିନ୍ ନଥିବା ଯୋଗୁଁ କୋରାପୁଟ କିମ୍ବା ବିଶାଖାପାଟଣା ମେଡିକାଲ ଉପରେ ନିର୍ଭର କରୁଛନ୍ତି ରୋଗୀ । ଡେଙ୍ଗୁକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିଥିବା ପ୍ଲେଟ୍ଲେଟ୍ ସୁବିଧା ହୋଇପାରୁନାହିଁ । ଫଳରେ ଆର୍ଥିକ ସ୍ଥିତି ଭଲ ଥିବା ଡେଙ୍ଗୁ ରୋଗୀ ବିଶାଖାପାଟଣା ନଚେତ୍ କୋରାପୁଟ, ବ୍ରହ୍ମପୁରକୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଆଉ କେତେକ ରୋଗୀ ଅର୍ଥାଭାବରୁ ଚିକିତ୍ସା ନପାଇ ପାରି ଜୀବନ ଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍ଲେଟ୍ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ବିଗତ ଦିନରେ କଂଗ୍ରେସ ଦଳ ମଧ୍ୟ ଏନେଇ ଦାବି ଉଠାଇଥିବା ବେଳେ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନି ପ୍ରଶାସନ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ଅବହେଳା କରୁଥିବା କହିଛନ୍ତି କଂଗ୍ରେସ ନେତା । ତେଣୁ ଜିଲ୍ଲାକୁ ଯଥାଶୀଘ୍ର ପ୍ଲେଟ୍ଲେଟ୍ ପାଇଁ ଆବଶ୍ୟକୀୟ ମେସିନ ଅଣାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।
ମାଲକାନଗିରି ଜିଲ୍ଲାରେ ଗତ ଦୁଇ ବର୍ଷ ପରିସଂଖ୍ୟାନକୁ ଦେଖିଲେ ୨୦୨୧ ମସିହାରେ ୩୩୬ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ୨୦୨୨ ମସିହାରେ ୩୫୯ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ କେତେକ ରୋଗୀ ଜିଲ୍ଲା ବାହାରେ ରକ୍ତ ପରୀକ୍ଷା କରି ଚିକିତ୍ସିତ ହୋଇଥିବାରୁ ଡେଙ୍ଗୁ ରୋଗୀ ସଂଖ୍ୟା ଏହାର ଦ୍ବିଗୁଣ ହେବ ବୋଲି ଆକଳନ କରାଯାଉଛି । ବିଶେଷ କରି ମାଲକାନଗିରି ପୌରାଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ମାଲକାନଗିରି ପୌରାଞ୍ଚଳରେ ୨୦୨୧ ମସିହାରେ ୧୮୨ ରୋଗୀ ଓ ୨୦୨୨ ମସିହାରେ ୧୦୯ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ସେହିଭଳି ଚିତ୍ରକୋଣ୍ଡାରେ ୯୩, ବାଲିମେଳାରେ ୪୯, ସିଏଚସି ପାଣ୍ଡ୍ରିପାଣିରେ ୩୮, ସିଏଚସି କୋରୁକୋଣ୍ଡାରେ ୯୭, ସିଏଚସି କାଲିମେଳାରେ ୬୨, ସିଏଚସି ମାଥିଲିରେ ୧୧, ସିଏଚ୍ସି ପଡିଆରେ ୧୬, ସିଏଚ ସି କୁଡୁମୁଲୁଗୁମ୍ମାରେ ୧୫, ସିଏଚ୍ସି ଖଇରପୁଟରେ ୩, ମାଲକାନଗିରି ଗ୍ରାମାଞ୍ଚଳରେ ୧୩ , ଓ ସୁକୁମା ଜିଲ୍ଲାର ୫ ଜଣ ଡେଙ୍ଗୁ ୫ ରୋଗୀ ଚିହ୍ନଟ ହୋଇଥିଲେ ।
ଗତବର୍ଷ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ୨୦ ପ୍ରତିଶତ ଆକ୍ରାନ୍ତଙ୍କୁ ପ୍ଲେଟ୍ଲେଟ୍ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଥିଲା । ତେଣୁ ଏଭଳି ସମସ୍ୟା ସମ୍ପର୍କରେ ସିଡିଏମଓଙ୍କୁ ଜଣାଇଥିବା କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା । ପ୍ଲାଜମା ଭଣ୍ଡାର କରାଯିବା ସହ ଗୋଟିଏ ଆଫେରେସିସ୍ ମେସିନ୍ ଆଣିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା ସିଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି।
ଗତ ମାସ ୩୦ ତାରିଖ ଦିନ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ ଡେଙ୍ଗୁ ମ୍ୟାଲେରିଆ ସମେତ ବିଭିନ୍ନ ଭେକ୍ଟର ବାହିତ ରୋଗ ସ୍ଥିତି ନେଇ ସମୀକ୍ଷା କରିଥିଲେ। ଏଥିରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୨୨ଟି ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ଭେକ୍ଟର ବାହିତ ରୋଗ ନେଇ ସବୁ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ମାଣ୍ଡଭିୟ ।
Posted by: Desk, Indo Kaling Times