ଖୋର୍ଦ୍ଧା- ଜମିଜମା ବିବାଦକୁ କେନ୍ଦ୍ର କରି ଖୋର୍ଦ୍ଧାର ଏକ କ୍ଲିନିକ୍ ରେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଅଦ୍ୟାବଧି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ । ହେଲେ ଏହି ଗୁଳିକାଣ୍ଡ ପଛରେ ସୁପାରୀ କିଲର୍ ନିୟୋଜିତ ଥିବା ନେଇ ପୋଲିସକୁ ଠୋସ୍ ପ୍ରମାଣ ମିଳିଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗୁଳିକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପ୍ରଚେଷ୍ଟା ଚଳାଇଛି । ସିସିଟିଭି ଫୁଟେଜ୍ କୁ ତନ୍ନ ତନ୍ନ କରି ଯାଂଚ୍ କରୁଛି । ମାମଲାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଅପରାଧିଙ୍କ ନିକଟରେ ପହଂଚିବାକୁ ଉଦ୍ୟମ ଜାରୀ ରଖିଛି । ଗୋଟିଏ ଟିମ୍ ଭୁବନେଶ୍ୱରରେ ଡ଼ାକ୍ତରଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରୁଥିବା ବେଳେ ଅନ୍ୟ ଗୋଟିଏ ଟିମ୍ ନୟାଗଡ଼ ଓ ରଣପୁର ଜେଲ୍ କୁ ଯାଇ ପେଷାଦାର ଅପରାଧିଙ୍କ ରେକର୍ଡ଼ ଯାଂଚ୍ କରୁଛି । ସେହିପରି ଆଉ ଏକ ଟିମ୍ ବ୍ରହ୍ମପୁରରେ ସୁପାରୀକିଲର୍ ଙ୍କ ସମ୍ପର୍କରେ ତଥ୍ୟ ନେଉଥିବା ବେଳେ ଖୋର୍ଦ୍ଧାରେ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଛାନଭିନ୍ ଜାରୀ ରଖିଛି ।
ଅନ୍ୟପକ୍ଷରେ ଘଟଣାର ପ୍ରତିବାଦରେ ସୋମବାର ଦିନ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିଲା । ଗୁଳିକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ୨୪ ଘଂଟା ମଧ୍ୟରେ ଗିରଫ କରୁ ବୋଲି ଦାବି କରିଛି ଔଷଧ ବ୍ୟବସାୟୀ ସଂଘ । ନଚେତ୍ ୧୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି ।
ପ୍ରକାଶ ଥାଉ କି, ରବିବାର ସଂନ୍ଧ୍ୟାରେ ଏହି ଗୁଳିକାଣ୍ଡରେ ଗୁରୁତର ଆହତ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ଇତିମଧ୍ୟରେ ମୃତ୍ୟୁ ଘଟିଛି । ଗୁରୁତର ଆହତ ଡ଼ାକ୍ତର ମାନସ ଦାସ ସମ୍ପ୍ରତି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ ହୋଇଛି ।