-
ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କ ମାନଗଞ୍ଜନ କଲେ ଜଗନ୍ନାଥ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଫେରିଥିଲେ |
ପରଦିନ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏହାକୁ ‘ନୀଳାଦ୍ରିବିଜେ’ କୁହାଯାଏ।
ନିଳାଦ୍ରୀ ବିଜେ ପାଇଁ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥିଲା । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥିଲା ।
ପରମ୍ପରା ଏବଂ ନୀତି ଅନୁସାରେ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ କ୍ରମରେ ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରିଥିଲେ । ବିଜେ ପୂର୍ବରୁ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି ଅନୁଷ୍ଠିତ ହୋଇଥିଲା ।ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନିନୀ ମା ଲକ୍ଷ୍ମୀ ଙ୍କୁ ରସଗୋଲା ଖୁଆଇ ମାନଗଞ୍ଜନ କରିଥିଲେ |