-
ଶନିବାର ନୀଳାଦ୍ରି ବିଜେ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବାହୁଡା ଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ସୁନାବେଶ ଏବଂ ପରଦିନ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଶ୍ରୀଜୀଉ ମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ ।
ପରମ୍ପରା ଅନୁସାରେ ଅଧର ପଣା ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା । ମନ୍ଦିର ପ୍ରଶାସନ , ରାଘବ ଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥିଲେ । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଇଥିଲା । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରା ମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାରେ ରଖିଥିଲେ ।
ଅଧରପଣା ଭୋଗ ପୂର୍ବରୁ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରାଯାଇଥିଲା । ମହାସୁଆର ମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ଠା’ କରିଥିଲେ । ତା’ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥିଲେ |ମହାପ୍ରଭୁଙ୍କୁ ପଣା ଲାଗି ସାରିବା ପରେ ପାର୍ଶ୍ଵ ଦେବଦେବୀ ଏବଂ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହାଣ୍ଡି କୁ ରଥ ଉପରେ ଭଙ୍ଗା ଯାଇଥିଲା |ଶନିବାର ଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ,