ଜଟଣୀ- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଜଟଣୀ ବ୍ଲକ ଅଂଚଳରେ ଥିବା କୁସୁମାଟି ଛଣଘର ହାଇସ୍କୁଲରେ ଶିଶୁ ଉତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜଟଣୀ ବ୍ଲକ ଓ ମ୍ୟୁନିସିପାଲିଟି ଅଂଚଳରେ ଥିବା ୧୬ଟି ସ୍କୁଲର ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୧୨୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ୩୦ଜଣ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଓଷ୍ଟା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟୁଷରୁ ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ସରପଚଂ ସୁନିଲ ରାଉତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ପଣ୍ଡା, ଗ୍ରାମ୍ୟ କମିଟି ସଭ୍ୟ ବସନ୍ତ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ, ଓଷ୍ଟାର ସମ୍ପାଦକ ରତିକାନ୍ତ ସିଂହ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତି ପ୍ରମୁଖ ଯୋଗଦେଇ ପତକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଥିଲେ ।
ଶେଷରେ ଉଦଯାପନୀ ଉତ୍ସବରେ ଜଟଣୀ ବ୍ଲକର ସଭାପତି ବିରଂଚି ନାରାୟଣ ସାଥୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ରାଜ୍ୟ (ଓଷ୍ଟା) ରଞ୍ଜନ ଦାସ, କିଶୋର ବେହେରା, ସମ୍ପାଦକ ଖୋର୍ଦ୍ଧା ଜିଲ୍ଲା (ଓଷ୍ଟା) ସୁଧାକର ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି (ଓଷ୍ଟା) ଅମ୍ବିକା ପ୍ରସାଦ ପଟ୍ଟନାୟକ, ଓଷ୍ଟାର ସକ୍ରିୟ ସଦସ୍ୟ ନରେନ୍ଦ୍ର କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉନ୍ନତି ସହ ପ୍ରତିଯୋଗିତା ମନୋଭାବ ରଖି ଶିକ୍ଷାର ବିକାଶ କରିବା ପାଇଁ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।