
ମାଲକାନଗିରି, ଆସନ୍ତା ଜୁଲାଇ ୨୫ ତାରିଖ ଦିନ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ମାଲକାନଗିରିଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୁଟିଗୁଡ଼ା ମାଧ୍ୟମିକ ଇଂରାଜୀ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଛି । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଜୁଲାଇ ୯ ରେ କନିଷ୍ଠ ବର୍ଗ ଓ ଜୁଲାଇ ୧୬ ରେ ବରିଷ୍ଠ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ପୂର୍ବାହ୍ନ ୧୦ଟାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ପ୍ରତିଯୋଗିତା ଆୟୋଜନ ହେବ ।
ସୂଚନା ଥାଉ କି, ରାଜ୍ୟ ସ୍ତରରେ କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସେହିପରି ଜିଲ୍ଲା ସ୍ତରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଆଜିର ପ୍ରତିଯୋଗିତାରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ, ପ୍ରମିଳା ମାଝୀ, ଓଡିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ସାଜନ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗିତାକୁ ଆୟୋଜନ କରିବାରେ ସିଆରସିସି ରାମ ପ୍ରସାଦ ପାଢ଼ୀ, ହରେକୃଷ୍ଣ କିର୍ତ୍ତନୀୟା, ରଞ୍ଜନ ମହାନ୍ତି, ଅସୀମ କୁମାର ମାଝୀ, ଅଙ୍ଗୁରବାଳା ସ୍ୱାଇଁ, ଜୟଶ୍ରୀ ସୁଆର ଏବଂ ପୁଷ୍ପଲତା ପଣ୍ଡା ସହାୟତା କରିଥିଲେ ।
Posted by: Desk, Indo Kaling Times