
ବଲାଙ୍ଗୀର, ସାମାଜିକ ଗଣମାଧ୍ୟମରେ ଦଳିତ ସମାଜକୁ ନେଇ ଜାତିଆଣ ଆକ୍ଷେପ କରିଥିବା ତଥା ଅଶାଳୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ କୁମାର ପରୁଆ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ଦାବିରେ ଜିଲ୍ଲାର ଦଳିତ ସଂଗଠନମାନଙ୍କୁ ତରଫରୁ ବଲାଙ୍ଗୀର ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲା ଦଳିତ ସମାଜ ( ଯୁବ ଶାଖା) ଓ ପଶ୍ଚିମ ଓଡିଶା ଲକ୍ଷେଘର ଗଣ୍ଡା ସମାଜ ତରଫରୁ ଥାନା ଘେରାଉ କରାଯିବା ସହ ବିଭିନ୍ନ ପ୍ରକାର ନାରାବାଜୀ କରାଯାଇଥିଲା । ଉଭୟ ସଂଗଠନ ତରଫରୁ ପୃଥକ ପୃଥକ ଭାବରେ ଦୁଇଟି ଏତଲା ଥାନାରେ ଦିଆଯାଇଛି । ଏତଲାରେ ଦର୍ଶାଯାଇଛି ଯେ , ପ୍ରଦୀପ ବିଭିନ୍ନ ସମୟରେ ଭିନ୍ନ୍ଭିନ୍ନ ଦଳିତ ବ୍ୟକ୍ତିଙ୍କୁ ଫୋନ କରି ଗଣ୍ଡା ସମାଜକୁ ନିପାତ କରିଦେବି ବୋଲି ଧମକ ଦେଉଛନ୍ତି । ଗଣ୍ଡାମାନେ ମୋର କିଛି କରି ପାରିବେ ନାହିଁ । ଏଭଳି କି ଗୁଣ୍ଡା ନେଇ ଗଣ୍ଡାମାନଙ୍କ ଘରେ ପଶିବା ସହିତ ମହିଳାମାନଙ୍କୁ ଅତ୍ୟାଚାର କରିବି ଓ ପୁରୁଷମାନଙ୍କୁ ହତ୍ୟା କରିବି ବୋଲି ମଧ୍ୟ ଧମକ ଦେଉଛନ୍ତି । ପ୍ରଦୀପଙ୍କ ଏଭଳି ଆଚରଣ ଦଳିତ ସମାଜକୁ ବ୍ୟଥିତ କରିଛି । ସମାଜରେ ଜାତିଆଣ ବିଭେଦ ସୃଷ୍ଟି କରି ବିଷମଂଜି ବୁଣୁଥିବା ପ୍ରଦୀପଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦଳିତ ସମାଜ ତରଫରୁ ଦାବି କରାଯାଇଛି । ପ୍ରଦୀପଙ୍କୁ ଯଦି ଅତିଶୀଘ୍ର ଗିରଫ କରାନଯାଏ ତା ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳିତ ସମାଜ ତରଫରୁ ଚେତାବନୀ ଦିଆଯାଇଛି । ଏତଲା ସମୟରେ ପ୍ରମାଣିକ ତଥ୍ୟ ଭାବରେ ଅଡିଓ ରେକର୍ଡିଂ ଓ ପେସବୁକ ପୋଷ୍ଟର ନକଲ ପୋଲିସକୁ ପ୍ରଦାନ କରାଯାଇଛି ବୋଲି ଦଳିତ ସମାଜ ତରଫରୁ କୁହାଯାଇଛି ।
Posted by: Desk, Indo Kaling Times