-
ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସିଂହଦ୍ୱାର,
-
ସୁନାବେଶ ଦର୍ଶନ କରି ଭକ୍ତ ଭାବ ବିହ୍ଵଳ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟରେ ସୁନାବେଶ ସ୍ୱତନ୍ତ୍ର |ନବଦିନାତ୍ମକ ଯାତ୍ରା ସାରି ବୁଧବାର ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ | ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିଥିଲା । ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଭାବ ବିହ୍ଵଳ ହୋଇପଡ଼ିଥିଲେ |ହରି ବୋଲ ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ସମ୍ମୁଖ ପ୍ରକମ୍ପିତ ହୋଇ ପଡିଥିଲା |
ମଧ୍ୟାହ୍ନ ଧୂପ ଓ ମଇଲମ, ଶାଢ଼ୀ ଖଣ୍ଡୁଆ ଲାଗି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସୁନାବେଶ ।ଶ୍ରୀମନ୍ଦିର ରତ୍ନ ଭଣ୍ଡାର ରୁ ସିଂହଦ୍ୱାର ଦେଇ ରଥ ଉପରକୁ ସେବାୟତମାନେ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେଇ ଆସିଥିଲେ । ସେବକ ମାନେ ଏହାପରେ ବଡ ଠାକୁର ବଳଭଦ୍ର, ଦେବି ଶୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସୁନାବେଶରେ ସଜେଇଥିଲେ |
ମହଣ ମହଣ ସୁନାରେ ସୁସଜ୍ଜିତ ମହାପ୍ରଭୁଙ୍କ ଶ୍ରୀପୟର, ଶ୍ରୀଭୂଜ ସହିତ ମସ୍ତକରେ ସୁବର୍ଣ୍ଣ କିରିଟି ଝଲସୁଥିଲା । ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି ଅନେକ ମାଳି ମହାପ୍ରଭୁ ପରିଧାନ କରିଥିଲେ । ଏଥି ସହିତ ତିନି ଦିଅଁଙ୍କ ସ୍ୱତନ୍ତ୍ର ଆୟୁଧ, ସ୍ୱତନ୍ତ୍ର ଆଭୂଷଣରେ ସଜ୍ଜିତ କରାଯାଇଥିଲା । ବିଶ୍ୱ ନିୟନ୍ତାଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଦର୍ଶନ କରି ଭକ୍ତ ଆନନ୍ଦରେ ପ୍ରଫୁଲିତ ହୋଇ ପଡ଼ିଥିଲେ | ଶୁକ୍ରବାର ମହାପ୍ରଭୁଙ୍କୁ ଅଧରପଣା ଲାଗିହେବ ଏବଂ ଶନିବାର ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ |ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |
Posted by: Desk, Indo Kaling Times