-
ଗାନ୍ଧିଜୀଙ୍କ ଖଦୀ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଏହି ବିଷୟରେ ଜାଗୃତ କରିଥିଲେ ଫକୀରମୋହନ – ଧର୍ମେନ୍ଦ୍ର ପ୍ରଧାନ
-
ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଗାନ୍ଧି ଚେତନାର ଅଗ୍ରଦୂତ, ଗାନ୍ଧିଜୀ କହିଥିବା ‘ଲୁଣା ଓ ଖଦୀ ବସ୍ତ୍ରର କଥା’କୁ ବହୁ ପୂର୍ବରୁ ନିଜ ଲେଖନୀ ଚାଳନା ମାଧ୍ୟମରେ କହି ସାରିଥିଲେ
-
ଫକୀରମୋହନଙ୍କ ଉପରେ ତଥ୍ୟଭିତ୍ତିକ ଓ ଗବେଷଣା ଆଧାରିତ ଇଂରାଜି ପୁସ୍ତକ ପ୍ରକାଶିତ କରିଥିବାରୁ ଲେଖକ ସ୍ୱର୍ଗତ ଦେବେନ୍ଦ୍ର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଲେ
-
ଫକୀରମୋହନଙ୍କ ପରି ଓଡ଼ିଆ ଲୋକଙ୍କ ମର୍ଯ୍ୟାଦା, ସଂସ୍କାର ଓ ବିଚାରକୁ ବିଶ୍ୱସ୍ତରକୁ ନେବା ପାଇଁ ସଂକଳ୍ପ କରିବା
-
ବ୍ୟାସକବି ଫକୀରମୋହନ ଥିଲେ ଓଡ଼ିଆ ଜାତିର ବିଚକ୍ଷଣ ସମାଜ ଶିଳ୍ପୀ
-
ଅନେକ ଅନାଲୋଚିତ ଓଡ଼ିଆ ସାଧକଙ୍କୁ ଇତିହାସରେ ଯୋଡିବା ପାଇଁ ପ୍ରଚେଷ୍ଟା କରିବା
-
ପ୍ରାୟ ଦେଢ ଶହ ବର୍ଷ ପୂର୍ବରୁ ବର୍ତ୍ତମାନର ଆଧୁନିକ ବିଦ୍ୟାର କଳ୍ପନା କରିଥିଲେ ଫକୀରମୋହନ
-
ଫକୀରମୋହନଙ୍କ କଳ୍ପନାକୁ ଜାତୀୟ ଶିକ୍ଷା ନୀତିରେ ବାସ୍ତବର ରୂପ ଦିଆଯାଇଛି
-
ଲକ୍ଷ୍ମୀ ପୁରାଣ, କଳିଙ୍ଗ ଯୁଦ୍ଧର ପ୍ରଜାତନ୍ତ୍ରିକ ବ୍ୟବସ୍ଥା ଏବଂ କୋଣାର୍କ ମନ୍ଦିରରେ ଚିତ୍ରିତ ଜିରାଫକୁ ନେଇ ଓଡ଼ିଶା ଓ ଆଫ୍ରିକାର ବାଣିଜ୍ୟ ସମ୍ପର୍କର କଥା କହିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ଖଦୀ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ବ୍ୟାସକବି ଫକୀରମୋହନ ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି ବିଷୟରେ ଜାଗୃତ କରିଥିଲେ । ଗୁରୁବାର ନୂଆଦିଲ୍ଲୀ ଠାରେ ମହାପ୍ରଭୁଙ୍କ ପବିତ୍ର ‘ସୁନାବେଶ’ ଅବସରରେ ଇଂରାଜି ପୁସ୍ତକ “ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ୍ ଅଥର”ର ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଭାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଗାନ୍ଧି ଚେତନାର ଅଗ୍ରଦୂତ । ଗାନ୍ଧିଜୀ କହିଥିବା କଥାକୁ ବହୁ ପୂର୍ବରୁ ସେ ନିଜ ଲେଖନୀ ଚାଳନା ମାଧ୍ୟମରେ କହି ସାରିଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଲୁଗା ଓ ଲୁଣ ଭଳି ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ସେ ଲେଖିଥିଲେ “ଓଳି ତଳେ ଲୁଣ କୋଟିଏ ମହଣ, ଆଉ ମୋହ କଥା ଶୁଣ, ବୋଇଲେ କି ହେବ, ଖାଇବାକୁ ହେବ ଲିଭରୋପୁଲ୍ରୁ ଲୁଣ” । ସେହିପରି ଲୁଗା ବା ଖଦୀ ବସ୍ତ୍ର ଉପରେ ସେ ଉଲ୍ଲେଖ କରିଥିଲେ “ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି, ତୁମ୍ଭ ମାନଙ୍କ ସକାଶେ, ବୁଡୁ ତନ୍ତୀ ବଂଶ ହେଉ ସର୍ବନାଶ, ଯାଆନ୍ତୁ ସେ ବନବାସେ” । ୧୯୦୮ ମସିହାରେ ଫକୀରମୋହନ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲୁଗା ବୁଣା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରୁ ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଅନୁମେୟ ।
ସେ କହିଛନ୍ତି ଯେ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଜଣେ ମହାନ ଜନନାୟକ ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ପୁରୋଧା । ବର୍ତ୍ତମାନ ସମୟର ଅତ୍ୟାଧୁନିକ ବିଷୟ ଯଥା ଅତ୍ୟାଧୁନିକ ବିଜ୍ଞାନ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ବିଷୟକୁ ସେ ଦେଢ଼ଶହ ଶହେ ବର୍ଷ ପୂର୍ବରୁ କଳ୍ପନା କରିଥିଲେ । ଏହି ବିଚକ୍ଷଣ ସମାଜ ଶିଳ୍ପୀଙ୍କ ଉପରେ ତଥ୍ୟଭିତ୍ତିକ ଓ ଗବେଷଣା ଆଧାରିତ ଇଂରାଜି ପୁସ୍ତକ ପ୍ରକାଶିତ ହୋଇଥିବାରୁ ଲେଖକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁସ୍ତକଟି ସାରା ଦେଶରେ ଜନଆଦୃତ ହେବ ।
ଆମର ଓଡ଼ିଆ ଭାଷା ଆମ ଜାତିର ପରିଚୟ । ଆଉ ଏହି ଭାଷାକୁ ସମୃଦ୍ଧ କରିଥିବା ତଥା ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ପରିଚୟ ଦେବା ପାଇଁ ଅନବରତ ଉଦ୍ୟମ କରିଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଉପରେ ଲିଖିତ ପୁସ୍ତକକୁ ବହୁଭାଷାରେ ପ୍ରକାଶ କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଜରୁରୀ । କେବଳ ଫକୀରମୋହନ ନୁହଁନ୍ତି, ତାଙ୍କ ପରି ଅନେକ ଅନାଲୋଚିତ ଓଡ଼ିଆ ସାଧକଙ୍କୁ ଇତିହାସରେ ଯୋଡିବା ପାଇଁ ପ୍ରଚେଷ୍ଟା କରିବା ଏବଂ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଲୋକଙ୍କ ମର୍ଯ୍ୟାଦା, ସଂସ୍କାର ଓ ବିଚାରକୁ ବିଶ୍ୱସ୍ତରରେ ନେବା ପାଇଁ ସଂକଳ୍ପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ପାଖାପାଖି ଶହେ ବର୍ଷ ପୂର୍ବରୁ ଫକୀରମୋହନ ସେନାପତିଙ୍କ ଦ୍ୱାରା କରାଯାଇଥିବା କଳ୍ପନାକୁ ଜାତୀୟ ଶିକ୍ଷା ନୀତିରେ ବାସ୍ତବର ରୂପ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ ପାଇଁ ଭାରତୀୟ ସଂସ୍କୃତି, ଶିକ୍ଷା, ବିଚାର, ଅତ୍ୟାଧୁନିକ ବିଜ୍ଞାନ, ଏଆଇ, ହ୍ୟୁମାନ ସାଇନ୍ସ ଭଳି ବିଷୟ ଉପରେ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀ ପୁରାଣର ମାର୍ମିକ ତଥା ସ୍ୱଚ୍ଛତା, ଜାତିପ୍ରଥାର ବିରୋଧ ଉପରେ ଆଲୋକପାତ କରିଥିଲେ । ଏହାସହ ବେଦ ଉପନିଷେଦରେ ସଭାର କଥା, କଳିଙ୍ଗ ଯୁଦ୍ଧରେ ଥିବା ପ୍ରଜାନ୍ତ୍ରାତିକ ଅବସ୍ଥା, କୋଣାର୍କର ସୂର୍ଯ୍ୟ ମନ୍ଦିରରେ ଜିରାଫର ଚିତ୍ରକୁ ନେଇ ଅତୀତରେ ଆଫ୍ରିକା ସହ ଓଡ଼ିଶାର ନୌବାଣିଜ୍ୟ ଉପରେ ଉପରେ ଅଭିଭାଷଣ ଦେବା ସହ ଏହା ଉପରେ ଗବେଷଣା କରିବା ପାଇଁ ସେ ଆହ୍ୱାନ କରିଥିଲେ ।