ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ପୀଠର ବିକାଶ ପାଇଁ ଅଦ୍ୟାବଧି କୌଣସି ସହାୟତା ଘୋଷଣା କରାଯାଇନଥିବାରୁ ଅଚ୍ୟୁତପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ୫-ଟି ସଚିବଙ୍କ ଗ୍ରସ୍ତ ପରେ ପୀଠର ବିକାଶ ପାଇଁ ଆବଶକୀୟ ଜମି, ପୀଠକୁ ସଂଯୋଗ କରୁଥିବା ରାସ୍ତାଘାଟ ଗୁଡିକ ନିର୍ମାଣ ପାଇଁ ସ୍ଵତନ୍ତ୍ର ମାଷ୍ଟର ପ୍ଳାନ୍ ପ୍ରସ୍ତୁତ କରିବାରେ ଜିଲ୍ଲାପ୍ରଶାସନ ବିଫଳ ହୋଇଥିବାରୁ ଆବଶକୀୟ ଅର୍ଥ ଘୋଷଣାରେ ବିଳମ୍ବ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ବିଭିନ୍ନ ସମୟରେ ପୀଠକୁ ଗ୍ରସ୍ତକରି ଆବଶକୀୟ ସମସ୍ତ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରିବା ପାଇଁ ତହସିଲ କର୍ତ୍ତୃପଙ୍କୁ ନିର୍ଦ୍ଦେଶଦେଇଥିଲେ ମଧ୍ୟ ଅଦ୍ୟାବଧି ତହସିଲ କର୍ତ୍ତୃପକ୍ଷ ସେଥିପ୍ରତି ଆବଶକୀୟ ଦୃଷ୍ଟି ଦେଉନଥିବାରୁ ଆଜି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଜିଲ୍ଲାପାଳ ଶ୍ରୀ ଚଇନି ପହଞ୍ଚି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ପୀଠକୁ ଗମନାଗମନ ନିମିତ ସମସ୍ତ ରାସ୍ତାଘାଟଗୁଡିକ ଜବରଦଖଲ ଉଚ୍ଛେଦ ସହିତ ସ୍ଵତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ନିର୍ମାଣରେ ଜମି ହରାଉଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମସ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ତେବେ ଯଥାଶୀଘ୍ର ଏହି ପୀଠର ବିକାଶ ପାଇଁ ବିକଳ୍ପ ରାସ୍ତା ନିର୍ମାଣ ପରେ ପରେ ଆବଶକୀୟ ଜମି ଅଧିଗ୍ରହଣ କରାଯାଇ ପୀଠର ସମସ୍ତ ସୁବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଆଜି ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହିତ ଆଲୋଚନାରେ ପ୍ରକାଶ କରିଛନ୍ତି । ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ କମଳଜିତ୍ ଦାସ, ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲୀପ ନାୟକ, କଟକ ସଦର ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢୀଙ୍କ ସମେତ ଯୁବନେତା ଅମୀୟ ପ୍ରସାଦ ମହାନ୍ତି, ସମିତିସଭ୍ୟ ବିଶ୍ଵେନ୍ଦୁ ମହାରଣା ଓ ବିଭିନ୍ନ ଆର.ଆଇ. ସର୍କଲର ଆର.ଆଇ. ଅମିନ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Posted by: Desk, Indo Kaling Times
Related Stories
November 22, 2024