ସାଲେପୁର, ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠରେ ଶ୍ରୀ ବଳଦେବ ଜୀଉଙ୍କର ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଛି । ଚତୁର୍ଦ୍ଧା ମୂରତୀ ରଥାରୁଢ ହୋଇ ସିଂହଦ୍ଵାରରେ ପହଞ୍ଚିଛନ୍ତି । ଶ୍ରୀଗୁଣ୍ଡିଚାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରେ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁଯାୟୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରୀମନ୍ଦିର ସନ୍ନିକଟରେ ପହଞ୍ଚିଛନ୍ତି ପ୍ରଭୁ ଚତୁର୍ଦ୍ଧା ମୁରତୀ । ପବିତ୍ର ବାହୁଡା ଦିନ ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ପାରମ୍ପରିକ ରୀତିନୀତି ପରେ ଖେଚୁଡି ନୈବେଦ୍ୟ ଅର୍ପଣ କରାଯାଇଥିଲା । ଅପରାହ୍ନରେ ସେନାପଟା କାର୍ଯ୍ୟ ସମାପନ ପରେ ଗୋଟି ପହଣ୍ଡିରେ ପହଣ୍ଡିଆମାନେ ପ୍ରଥମେ ସୁଦର୍ଶନ ପରେ ପ୍ରଭୁ ବଳଭଦ୍ର, ଭଗିନୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ଉପରେ ଶ୍ରୀ ଜୀଉଙ୍କର ପୂଜାର୍ଚ୍ଚନା ଓ ପଣା ଭୋଗ କରାଯିବା ପରେ ଠାକୁର ରାଜା ଭାବେ ବିଦିତ ବନବିହାରୀ ମିଶ୍ରଙ୍କ ଦ୍ଵାରା ଛେରାପହରା କାର୍ଯ୍ୟ କରାଯାଇଥିଲା । ମହାରାଣୀଙ୍କର ଆଜ୍ଞା ହେବା ପରେ ଭକ୍ତମାନେ ରଥ ଟଣା କାର୍ଯ୍ୟ ଆରମ୍ଭ କରିଥିଲେ ।
ସେହିପରି ନେମାଳ ଅନନ୍ତବାସୁଦେବ ମନ୍ଦିରରୁ ଆସିଥିବା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ମାଉସୀମାଆଙ୍କ ମନ୍ଦିରରେ ଦୀର୍ଘ ୯ ଦିନ ଧରି ଅବସ୍ଥାନ କରୁଥିଲେ । ଯଥାରୀତି ପୂଜାର୍ଚ୍ଚନା ସହ ପହଣ୍ଡି କରାଯାଇ ପ୍ରଭୁଙ୍କୁ ରଥାରୁଢ କରିବା ପରେ ରଥ ଟଣାଯାଇ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିଲା । ନେମାଳ ଥାନା ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ । ସେହିପରି ସାଲେପୁର ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସମାପ୍ତ ହୋଇଥିବା ଜଣାଯାଇଛି ।
Posted by: Desk, Indo Kaling Times