ଭୁବନେଶ୍ୱର, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପାଠକ/ପାଠିକା ଓ ଗବେଷକମାନଙ୍କ ଉଦ୍ଦେଶ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପୁସ୍ତକ ଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଶ୍ରୀ ଦିଲୀପ ରାଉତରାଏ, ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ନିର୍ଦ୍ଦେଶକ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଙ୍କ ପୌରହିତ୍ୟରେ ଏବଂ ଶ୍ରୀମତୀ ଅତସୀ ଦାସ, ଯୁଗ୍ମ ଶାସନ ସଚିବ ଓ ଯୁଗ୍ମ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଙ୍କ ସଂଯୋଜନାରେ ଏହି ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀର କୁଳସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟର ନିଜ ଅନୁଭୂତି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଶ୍ରୀ ସୁବ୍ରତ କୁମାର ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଭୁବନେଶ୍ୱର ସ୍ମାର୍ଟ ସିଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଅନୁଭୂତିରେ ଶ୍ରୀଜଗନ୍ନାଥଙ୍କ ମହିମାର ଚମତ୍କାରିତା ବଖାଣିଥିଲେ । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବକଙ୍କ କନ୍ୟା ସୁଶ୍ରୀ ପୂର୍ଣ୍ଣିମା ମହାପାତ୍ର ଏଥିରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ସୁନ୍ଦରଭାବେ ସଂକ୍ଷିପ୍ତ ବକ୍ତୃତା ଦେଇଥିଲେ । ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ଗ୍ରନ୍ଥାଗାର ସମ୍ବନ୍ଧୀୟ ଇଂଟର୍ନସିପ୍ ତାଲିମ୍ ନେଉଥିବା ସମସ୍ତ ଛାତ୍ରଛାତ୍ରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।