
ନୂଆଦିଲ୍ଲୀ, ଭାରତ ନିକଟରେ ପ୍ରାଣୀ ସମ୍ପଦ ଏବଂ କୁକ୍କୁଟ ପାଳନର ବିଶାଳ ସମ୍ପଦ ରହିଛି ଯାହା ଗ୍ରାମୀଣ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରାଣୀସମ୍ପଦ ଜୀବିକାର୍ଜ୍ଜନର ଏକ ମହତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହା ଆୟ ବୃଦ୍ଧିରେ ସହାୟକ ହୋଇଥାଏ ତଥା ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ। ପ୍ରାଣୀପାଳନ ମାଧ୍ୟମରେ କୃଷି କ୍ଷେତ୍ରରେ ବିବିଧତା ଗ୍ରାମୀଣ ଆୟ ବୃଦ୍ଧିର ପ୍ରମୁଖ ବାହକ ମଧ୍ୟରୁ ଅନ୍ୟତମ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୁପାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ପ୍ରାଣୀପାଳନ ଏବଂ ଡାଏରୀ ବିଭାଗ ସବୁ ସ୍ତରରେ ପ୍ରାଣୀ ଉତ୍ପାଦକତାରେ ସୁଧାର ଆଣିବା ଲାଗି ବିଗତ ନଅ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଉତ୍ପାଦକତାରେ ବୃଦ୍ଧି ଫଳରେ ଘରୋଇ ବଜାର ଏବଂ ରପ୍ତାନି ବଜାର ପାଇଁ ଅଧିକ ଦୁଗ୍ଧ, ମାଂସ ଏବଂ ପ୍ରାଣୀସମ୍ପଦ ଉତ୍ପାଦର ଉତ୍ପାଦନ କ୍ଷମତା ବୃଦ୍ଧିରେ ସହାୟତା ମିଳିବ। ବିଭାଗ ପକ୍ଷରୁ ପ୍ରମୁଖ ପ୍ରାଣୀ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ, ଉନ୍ମୁଳନ ଓ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରୁଛି । ବିଭାଗ ପ୍ରାଣୀ ସମ୍ପଦ କ୍ଷେତ୍ର ମାଧ୍ୟମରେ ବିଶେଷ କରି ଚାଷୀଙ୍କ ଆୟ ବୃଦ୍ଧିରେ ସହାୟତା କରିବାର ସାଧାରଣ ଉଦ୍ଦେଶ୍ୟ ନେଇ ଅନ୍ୟ ମନ୍ତ୍ରଣାଳୟ ଓ ଅଂଶୀଦାରଙ୍କ ସହିତ ମିଶି ତାଳମେଳ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରୁଛି ।
ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ସବୁ ଅଂଶୀଦାରଙ୍କ ସହିତ ମିଶି କାମ କରିବା ଲାଗି ସଂକଳ୍ପବଦ୍ଧ ଏବଂ ଚାଷୀମାନଙ୍କ ଘର ପାଖରେ ଗୁଣବତ୍ତାପୂର୍ଣ୍ଣ ସେବା ପ୍ରଦାନ କରିବା ଲାଗି ସର୍ବାଧିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି ।
ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଅଧୀନରେ ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ଉପଲବ୍ଧି ଏବଂ ପ୍ରୟାସଗୁଡ଼ିକ ନିମ୍ନରେ ଦିଆଗଲା :
ପ୍ରାଣୀ ସମ୍ପଦ କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଆନୁସଙ୍ଗିକ କ୍ଷେତ୍ର ଭାବେ କାର୍ଯ୍ୟ କରିଥାଏ। ଏହା ୨୦୧୪-୧୫ ଠାରୁ ୨୦୨୦-୨୧ ମଧ୍ୟରେ (ସ୍ଥିର ମୂଲ୍ୟ ଆଧାରରେ) ୭.୯୩ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏସଜିଆର) ହାସଲ କରି ଆଗକୁ ବଢ଼ୁଛି। ମୋଟ୍ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରାଣୀସମ୍ପଦ କ୍ଷେତ୍ରର ଯୋଗଦାନ ୨୪.୩୮ ପ୍ରତିଶତ (୨୦୧୪-୧୫) ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) (ସ୍ଥିର ମୂଲ୍ୟ ଆଧାରରେ)ରୁ ବୃଦ୍ଧି ପାଇ ୩୦.୮୭ ପ୍ରତିଶତ ଜିଭିଏ (୨୦୨୦-୨୧)ରେ ପହଞ୍ଚି ଯାଇଛି । ପ୍ରାଣୀ ସମ୍ପଦ କ୍ଷେତ୍ରର ଯୋଗଦାନ ୨୦୨୦-୨୧ରେ ମୋଟ୍ ଜିଭିଏର ୬.୨ ପ୍ରତିଶତ ରହିଛି ।
ବିଂଶତମ ପ୍ରାଣୀସମ୍ପଦ ଜନଗଣନା ଅନୁସାରେ ଦେଶରେ ପ୍ରାୟ ୩୦୩.୭୬ ନିୟୁତ ଗୋଜାତୀୟ (ମେଣ୍ଢା, ମଇଁଷି, ଗୟଳ ଓ ଚମରି ଗାଈ), ୭୪.୨୬ ନିୟୁତ ମେଣ୍ଢା, ୧୪୮.୮୮ ନିୟୁତ ଛେଳି, ୯.୦୬ ନିୟୁତ ଘୁଷୁରି ଏବଂ ପ୍ରାୟ ୮୫୧.୮୧ ନିୟୁତ କୁକୁଡ଼ା ରହିଛନ୍ତି ।
ଦୁଗ୍ଧ ଉତ୍ପାଦନ ସବୁଠୁ ବଡ଼ କୃଷି ଉତ୍ପାଦ ଭାବେ ଜାତୀୟ ଅର୍ଥବ୍ୟବସ୍ଥାରେ ୫ ପ୍ରତିଶତ ଯୋଗଦାନ ଦେଇଥାଏ ଏବଂ ୮ କୋଟିରୁ ଅଧିକ ଚାଷୀଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିଥାଏ। ଭାରତ ଦୁଗ୍ଧ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି, ଯାହା ବିଶ୍ୱ ଦୁଗ୍ଧ ଉତ୍ପାଦନରେ ୨୩ ପ୍ରତିଶତ ଯୋଗଦାନ ଦେଇଥାଏ। ବିଗତ ୮ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୫୧.୦୫ ପ୍ରତିଶତ ବୃଦ୍ଧି ହୋଇଛି ଯାହା ୨୦୧୪-୧୫ରେ ୧୪୬.୩ ନିୟୁତ ଟନ୍ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୨୨୧.୦୬ ନିୟୁତ ଟନରେ ପହଞ୍ଚିଛି । ଦୁଗ୍ଧ ଉତ୍ପାଦନ ବିଗତ ୮ ବର୍ଷ ମଧ୍ୟରେ ୬.୧ ପ୍ରତିଶତର ବାର୍ଷିକ ବୃଦ୍ଧି ଦର (ସିଏଜିଆର)ରେ ବୃଦ୍ଧି ହାସଲ କରୁଛି, ଅନ୍ୟପଟେ ବିଶ୍ୱ ଦୁଗ୍ଧ ଉତ୍ପାଦନ ବାର୍ଷିକ ମାତ୍ର ୧.୨ ପ୍ରତିଶତ ହାରରେ ବଢ଼ିଛି । ୨୦୨୧-୨୨ରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୁଗ୍ଧ ଉପଲବ୍ଧତା ୪୪୪ ଗ୍ରାମ ଦୈନିକ ହୋଇଥିବା ବେଳେ ୨୦୨୧ରେ ବିଶ୍ୱରେ ହାରାହାରୀ ଦୈନିକ ୩୯୪ ଗ୍ରାମ ଅଟେ ।
ଫୁଡ୍ ଏଣ୍ଡ ଏଗ୍ରୀକଲଚର ଅର୍ଗାନାଇଜେସନ କର୍ପୋରେଟ୍ ଷ୍ଟାଟିଷ୍ଟିକାଲ ଡେଟାବେସ (ଏଫଏଓଏସଟିଏଟି) ଉତ୍ପାଦନ ଡେଟା (୨୦୨୦) ଅନୁସାରେ, ଭାରତ ବିଶ୍ୱରେ ଅଣ୍ଡା ଉତ୍ପାଦନରେ ତୃତୀୟ ଏବଂ ମାଂସ ଉତ୍ପାଦନରେ ଅଷ୍ଟମ ସ୍ଥାନରେ ରହିଛି। ଦେଶରେ ଅଣ୍ଡା ଉତ୍ପାଦନ ୨୦୧୪-୧୫ରେ ୭୮.୪୮ ବିଲିୟନ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୧-୨୨ରେ ୧୨୯.୬୦ ବିଲିୟନରେ ପହଞ୍ଚିଛି । ଦେଶରେ ଅଣ୍ଡା ଉତ୍ପାଦନ ୭.୪ ପ୍ରତିଶତ ବାର୍ଷିକ ହାର (ସିଏଜିଆର) ସହିତ ବଢ଼ୁଛି । ୨୦୨୧-୨୨ରେ ପ୍ରତିବ୍ୟକ୍ତି ଅଣ୍ଡା ଉପଲବ୍ଧତା ବାର୍ଷିକ ୯୫ଟି ଅଣ୍ଡା ରହିଛି। ଦେଶରେ ମାଂସ ଉତ୍ପାଦନ ୨୦୧୪-୧୫ରେ ୬.୬୯ ନିୟୁତ ଟନରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୨୯ ନିୟୁତ ଟନ୍ରେ ପହଞ୍ଚିଛି ।
Posted by: Desk, Indo Kaling Times