ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଚାଲିଛି । ହରିବୋଲ ଜୟ ଜଗନ୍ନାଥର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ।
ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର୍ ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେ।ଇଥିଲା। ତାପରେ ପହଣ୍ଡି ଆରମ୍ଭ ହୋଇଥିଲା।
ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଛି। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡି ଶେଷ ହୋଇଛି। ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟରେ ଭକ୍ତ ମାନେ ଆହ୍ଲାଦିଦ ହେଉଛନ୍ତି ।
ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଖବର ଲେଖା ଯିବା ବେଳକୁ ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ପାଇଁ ପହଂଚି ସାରିଛନ୍ତି । ଏହା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ରଥଟଣା ଆରମ୍ଭ ହେବ।
ଏଣେ ବାହୁଡ଼ା ଯାତ୍ରା ଶେଷ ପରେ ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
Posted by: Desk, Indo Kaling Times