-
“ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବ ତୁମେ”
-
“ଜଗନ୍ନାଥ ସତରେ ସାରା ଜଗତର ନାଥ “
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସୁଦୂର ଟୋକିଓ ସହରରେ ଓଡିଶା କମୁନିଟି ଜାପାନ ର ସଦସ୍ୟ ମାନେ ଜାପାନୀ ଭକ୍ତ ଙ୍କ ସହ ମିଶି ବହୁତ ଧୁମ ଧାମ ରେ ରଥଯାତ୍ରା ପାଳନ କରିଛନ୍ତି |କିଛି ଓଡ଼ିଆ ଭାଇ ଭଉଣୀ ମାନେ ମିଶି ୧୬ ବର୍ଷ ତଳୁ ଜାପାନ ରେ ରଥଯାତ୍ରା ଆରମ୍ଭ କରିଥିଲେ |
ଗତ ୨ ବର୍ଷ କୋଭିଡ ପାଇଁ ରାସ୍ତାରେ ରଥ ଟଣା ବନ୍ଦ ହୋଇଥିଲା |୧୦୦ ରୁ ଉର୍ଦ୍ଧ ଓଡ଼ିଆ ପରିବାର ଆଉ ୧୦୦୦ ରୁ ଅଧିକ ଜାପାନୀ ଭକ୍ତ ମାନେ ମିଶି ୧୬ତମ ରଥଯାତ୍ରା ପାଳନ କରିଛନ୍ତି |
ସକାଳୁ ୟୋକହାମା ରେ ଥିବା ବଡ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସମସ୍ତ ରୀତି ନୀତି ଅନୁଯାୟୀ ବଡ ଆଡମ୍ବର ରେ କାବାସାକୀ ସହରକୁ ଅଣାଯାଇଥିଲା |ଶତାଧିକ ଭକ୍ତ ଙ୍କ ମେଳରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା |ତାପରେ ଓଡିଶା କମୁନିଟି ଜାପାନ ର ଓଡ଼ିଆ ପରିବାର ମାନେ ଏକତ୍ରିତ ହୋଇ ପ୍ରସ୍ତୁତି କରିଥିବା ପ୍ରସାଦକୁ ବିତରଣ କରିଥିଲେ | ଏହା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ ହୋଇଥିଲା |ଜାପାନୀ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେଇଥିବା ଭାଙ୍ଗଡା ନାଚ ଠୁ ଆରମ୍ଭ କରି ଓଡିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ବୋଲି କହିଛନ୍ତି ଜଣେ ଭାରତୀୟ ଜଗନ୍ନାଥ ପ୍ରେମୀ |ଚଳିତ ବର୍ଷ ରଥଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛେରା ପହଁରା ସମାପନ କରିଥିଲେ କାବାସାକୀର ମେୟର ନାକାୟମା କେନିଚି, ଭାଇସ ମେୟର କାତୋ ଜୁନିଚି, ଭାରତୀୟ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି. ବି . ଜର୍ଜ |
ଏହି ଅବସରରେ ଓଡିଶା କମୁନିଟି ଜାପାନ ତରଫରୁ ଏକ ସୋବେନୀର ମଧ୍ୟ ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଆମ ଓଡିଶା ର ଗର୍ବ ଆଉ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଓଡିଶା ର ରାଜ୍ୟପାଳ ଓ ଅନ୍ୟ ମନ୍ତ୍ରୀ ମାନେ ଦେଇଥିବା ଶୁଭେଚ୍ଛା ବାର୍ତା ପରିବେଷଣ କରା ଯାଇଥିଲା |
ପୁରୀ ଯାଇ ରଥଯାତ୍ରା କୁ ସବୁବର୍ଷ ସ୍ବଚଷୁରେ ଦେଖିବାର ସୌଭାଗ୍ୟ ମିଳିନଥିଲେ ବି ଏତେ ଦୂରରେ ଥାଇ ରଥଯାତ୍ରା ପାଳନ କରି ପାରିଥିବାରୁ ବହୁତ ଖୁସି ବୋଲି ଜଣେ ଓଡ଼ିଆ ଭକ୍ତ କହିଛନ୍ତି |
ଜାପାନୀ ଭକ୍ତ ମାନଙ୍କର ଏ ଉତ୍ସାହ ଓ ସମସ୍ତଙ୍କ ସାହାଯ୍ୟ ପାଇଁ ହିଁ ଭାରତ ଠୁ ସାତ ସମୁଦ୍ର ତେର ନଈ ଦୂରରେ ଥାଇ ମଧ୍ୟ ରଥଯାତ୍ରା ପାଳନ ର ଏ ସ୍ବପ୍ନ ସାକାର ହୋଇପାରିଛି ବୋଲି ଓଡିଶା କମୁନିଟି ଜାପାନର ବିଶ୍ୱଜିତ ଦାଶ କହିଛନ୍ତି|
ଭାରତ ଓ ଜାପାନ ଭିତରେ ବନ୍ଧୁତ୍ୱ କୁ ସୁଦୃଢ କରିବାରେ ଓଡିଶା କମୁନିଟି ଜାପାନ ର ଏ ପ୍ରଚେଷ୍ଟା ସତରେ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |