
ଜଗନ୍ନାଥଧାମ ପୁରୀଠାରେ ରିନେସାନ୍ସ ୟୁନିଭର୍ସାଲ୍ ଦ୍ୱାରା ପ୍ରସ୍ତୁତ ଆଲୋଚନା ଚକ୍ରରେ ବହୁ ଜ୍ଞାନୀ ଗୁଣି ବ୍ୟକ୍ତି ମାନଙ୍କ ମଧ୍ୟରେ ଲେଖକ ଶ୍ରୀ ପ୍ରମୋଦ ଧଳଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଓ ସାରମର୍ମି ହୋଇଥିଲା।
ରିନେସାନ୍ସ ୟୁନିଭର୍ସାଲ୍ ଦ୍ୱାରା ଆୟୋଜିତ ଏହି ମାସିକ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ହେଲା ମଣିଷ, ପ୍ରକୃତି ଏବଂ ସମାଜ ସମ୍ପର୍କିତ ବିଷୟ ତଥା ସାମ୍ପ୍ରତିକ ସମସ୍ୟା ଗୁଡିକ ସମ୍ପର୍କରେ ସମ୍ୟକ ଧାରଣା ଲାଭକରିବା । ଓଡିଶାରେ ଏହା ଭୁବନେଶ୍ୱର, ଢେଙ୍କାନାଳ ଓ ପୁରୀରେ ନିୟମିତ ଭାବରେ ରବିବାର ମାନଙ୍କରେ ଆୟୋଜନ କରାଯାଉଥିବା ବେଳେ ଆମ ଦେଶ ଓ ବିଦେଶରେ ମଧ୍ୟ କରାଯାଇଥାଏ। ଏହି ସଚେତନା ମୂଳକ କାର୍ଯ୍ୟକ୍ରମ ୭୦ ଦଶକରୁ ଭାରତରେ ଆରମ୍ଭ କରାଯାଇଥିବା ବେଳେ ଏବେ ଏହାର ଆବଶ୍ୟକତା ବେଶ୍ ଅନୁଭୂତ।
ଲେଖକ ଶ୍ରୀ ପ୍ରମୋଦ ଧଳ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ପରିଭ୍ରମଣ କରି ବିଭିନ୍ନ ପଶୁ ପକ୍ଷୀମାନଙ୍କର ହଜାର ହଜାର ଫଟୋ ଉତ୍ତଳନରୁ କିଛି ଦେଖାଇବା ସହିତ ସେମାନଙ୍କ ଜୀବନ ନିର୍ବାହ, ବିଭିଦ୍ଦ ପ୍ରକୃତି, ଓ ଘର ବା ବସା ବାନ୍ଧିବାର ପ୍ରଣାଳୀ ବିଷୟରେ ଅନେକ ନୂଆ ନୂଆ ତଥ୍ୟ ବର୍ଣ୍ଣନା କରିଥିଲେ। ସେ ଜଙ୍ଗଲରେ ବିତେଇଥିବା ଅନେକ ଅନୁଭୂତି ଓ ଅନୁଭବକୁ ନିଜେ ଉଠାଇଥିବା ଫଟୋ ଓ ଭିଡିଓ ମାଧ୍ୟମରେ ସୁନ୍ଦର ଭାବରେ ପରିବେଷଣ କରିଥିଲେ। ଯେପରିକି “ଦେବତା ବିନ୍ଧାଣି’’ ବା “ଭୁତ ଚଢେଇ” ଯାହାକୁ ଇଂରାଜୀରେ (Night Jar) କୁହାଯାଏ, କୋଚିଲାଖାଇ (Horn Bill), ପାଣିଚିରା ବା କଇଁଚି ଥଣ୍ଟିଆ (Indian Skimmer), ଶାରୀ (Common Hill Myna) ପ୍ରଭୁତି ପକ୍ଷୀ ମାନଙ୍କ ବିଷୟରେ ଜିବନ୍ତ ଅନୁଭୁତି ସବୁ ଶୁଣାଇ ସମସ୍ତଙ୍କୁ ବିମୁଗ୍ଦ କରିଥିଲେ। ଏଥିସହିତ ଭାରତୀୟ ସଂସ୍କୃତି ରେ ମାନବ ସଭ୍ୟତା ଓ ବନ୍ୟ ପ୍ରାଣୀ ମଧ୍ୟରେ ଥିବା ନିବିଡ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହାସବୁ ପରିବେଶ ସୁରକ୍ଷା ଉପରେ କିପରି ସୁ ପ୍ରଭାବ ପକାଏ ତାହା ଉପରେ ମଧ୍ୟ ଅନେକ ଉଦାହରଣ ଦେଇ ସମସ୍ତଙ୍କ ମନ ନେଇ ପାରିଥିଲେ।
ତାଙ୍କ ଲିଖିତ “ବାଘ କେତେ-ଜଣା କେତେ-ଅଜଣା’’ ବହିରୁ ଉଦ୍ଧାର କରି ଜଙ୍ଗଲି ବାଘ ମାନଙ୍କ ବିଷୟରେ ଅନେକ ଗବେଷଣାତ୍ମକ ତଥ୍ୟ ପରିବେଶଣ କରିଥିଲେ। ଆମ ଦେଶ କେରଳରେ ସେ ପ୍ରଥମେ “କଳା ଶିଆଳ’’ ଦେଖିଥିବାର ଚିତ୍ର ଓ କାହାଣୀ ସମସ୍ତଙ୍କୁ ଦେଖାଇ ଚକିତ କରିଥିଲେ। ପକ୍ଷୀ ବିଷାରଦ ଶ୍ରୀ ଧଳ ନିଜ ଲିଖିତ “ବାର୍ଡସ ଅଫ ଓଡ଼ିଶା’’ ପୁସ୍ତକ ସମ୍ପର୍କରେ ମଧ୍ୟ ସମ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ ।
ରିନେସାନ୍ସ ୟୁନିଭର୍ସାଲ୍ ର ଶ୍ରୀ ଆଦିତ୍ୟ କୁମାର ମହାନ୍ତି ସଭାକୁ ପରିଚାଳନା କରିବା ସହିତ ସମ୍ପୁର୍ଣ୍ଣ ବକ୍ତବ୍ୟକୁ ଇଂରାଜୀରେ ଉପସ୍ଥାପନ କରିଥିଲେ। ଇଂ ନିତାଇ ଗୈାର ଧଳ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଶ୍ରୀ ବିପିନ୍ ମହାନ୍ତି ଲେଖକ ଧଳଙ୍କ ପରିଚୟ ପ୍ରଦାନ, ବକ୍ତବ୍ୟର ବିଷୟ ବସ୍ତୁ (ପଶୁ , ପକ୍ଷୀ – ଆମ ପଡୋଶି) ଉପରେ ସମ୍ୟକ ଧାରଣା ଦେବା ଓ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।