ଭୁବନେଶ୍ୱର, ୨୮ ବର୍ଷ ତଳେ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗୁଣୁପୁରର ପୂର୍ବତନ ବିଧାୟକ ରାମ ମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଏଡିଜେ -୩ କୋର୍ଟ । ଦଫା ୩୦୨ ହତ୍ୟାରେ ଆଜୀବନ କାରାଦଣ୍ଡ ଆଦେଶ ସହ ୫୦ ହଜାର ଜରିମାନା ଏବଂ ଅନାଦେୟ ହେଲେ ଅତିରିକ୍ତ ଜେଲ ଦଣ୍ଡାଦେଶ ହୋଇଛି । ଏହାଛଡ଼ା ଦଫା ୨୦୧ ପ୍ରମାଣ ନଷ୍ଟ ପାଇଁ ୧୦ ହଜାର ଟଙ୍କା ଜରିମାନା ଅନାଦେୟ କ୍ଷେତ୍ରରେ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।
୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ୧୦ଟା ୪୫ ମିନିଟରେ ରାମମୂର୍ତି ଗମାଙ୍ଗ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଶଶିରେଖା ଆତ୍ମହତ୍ୟା କରିଛନ୍ତି । ସେତେବେଳେ ସେ ଗର୍ଭବତୀ ଥିଲେ । ସେହିଦିନ ସକାଳ ୯ଟାରେ ତାଙ୍କ ପତ୍ନୀ ବାଥରୁମ୍ ଭିତରେ ଆତ୍ମହତ୍ୟା କରିଥିବା ସେ ପୁଲିସକୁ କହିଥିଲେ । ତେବେ ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜଣାପଡ଼ିଥିଲା । ରାମମୂର୍ତି ଗମାଙ୍ଗଙ୍କର ଏଥିରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା । ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ପ୍ରୟାସ କରିଥିଲେ । ଘଟଣା ଘଟିବାର ୨୮ ବର୍ଷ ପରେ କୋର୍ଟରେ ଏହା ପ୍ରମାଣିତ ମଧ୍ୟ ହୋଇଥିଲା । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ ।