ଭୁବନେଶ୍ୱର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତୃବୃନ୍ଦ ତଥା କଂଗ୍ରେସ କର୍ମୀମାନେ ଆଜି ପାୱାରହାଉସ ଛକ ସ୍ଥିତ ଟାଟାପାୱାର ଅଫିସକୁ ଘେରାଉ କରିବା ସହିତ ବିକ୍ଷୋଭ କରିଥିଲେ । ଗତ ତିନିବର୍ଷ ଧରି ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତସେବା ଯୋଗାଇ ଦେବା ପରିବର୍ତେ ପ୍ରତିଦିନ ଘନ ଘନ ବିଦ୍ୟୁତ କାଟ ଓ ବିଦ୍ୟୁତ ବିଲ୍ରେ ଜାଣିଶୁଣି ଠକେଇ କରିବା ଏବଂ ସର୍ବନିମ୍ନ ମାସିକ ଆଦାୟ ପ୍ରକୃତ ବ୍ୟବାହାର ହୋଇଥିବା ବିଦ୍ୟୁତ ୟୁନିଟ୍ଠାରୁ ଅଧିକ ଆଦାୟ ବର୍ଷ ବର୍ଷ ଧରି କରାଯାଉଥିବା ବିରୋଧରେ ଆଜି ଟାଟାପାୱାର ଅଫିସକୁ ଜିଲ୍ଲା କଂଗ୍ରେସର ନେତୃବୃନ୍ଦମାନେ ଘେରାଉ କରିଥିଲେ । ଜିଲ୍ଲା କଂଗ୍ରେସ ନେତୃବୃନ୍ଦମାନେ ଟାଟାପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ବିଭିନ୍ନ ନାରାବାଜୀ କରିଥିଲେ ଏପରିକି ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଜିଲ୍ଲା କଂଗ୍ରେସ ତରଫରୁ ଟାଟାପାୱାରର ସିଇଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ଟାଟାପାୱାରର ଅଧିକାରୀ ବୃନ୍ଦଙ୍କ ସହିତ ଏହି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଅଲୋକ ଲେଙ୍କା, ସୁବ୍ରତ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ଯୋଗଦେଇଥିଲେ ।