ଭୁବନେଶ୍ୱର,ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରରୁ ଆସିଛି ନିର୍ଦ୍ଦେଶ । ସମ୍ପୃକ୍ତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଗତ ୨୪ ତାରିଖ ଦିନ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ସଚିବ ଏହି ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଲେଖିଛନ୍ତି । ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ଉଲ୍ଲେଖ ରହିଛି । ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ଅଭିଯୋଗ ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି ।
କେନ୍ଦ୍ରର ଚିଠିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଘଂନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କେଂଟ୍ରାଲିଂ ଅଥରିଟି ହୋଇଥିବାରୁ ଉଲ୍ଲଘଂନର ସ୍ପଷ୍ଟ ତଥ୍ୟପ୍ରମାଣ ମିଳିବା ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଛି । ଆମେ ଆଶା କରୁଛୁ ଆଇନ ତା ବାଟରେ ଯିବ ।