ଚମ୍ପୁଆ, ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ରିମୁଳି ବଜାର ଠାରେ ଥିବା ସାମଲ ମୋବାଇଲ ଦୋକାନରୁ ଆଡବେଷ୍ଟର ଭାଙ୍ଗି ପ୍ରାୟ ସାତ ଲକ୍ଷ ଟଙ୍କାର ମୋବାଇଲ ଚୋରୀ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ରିମୁଳି ବଜାରରେ ଥିବା ସାମଲ ମୋବାଇଲ ଦୋକାନର ମାଲିକ ଅମୀୟ ସାମଲ ପ୍ରତିଦିନ ପରି ଗତକାଲି ରାତି ୧୦ଟା ୩୦ ମିନିଟ ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ଯାଇ ଦୋକାନ ଖୋଲିବା ବେଳକୁ ଘର ଛାତର ଆଡବେଷ୍ଟର ଭାଙ୍ଗି ମୋବାଇଲ ଚୋରୀ ହୋଇଥିବା ଦେଖିଥିଲେ। ତେବେ ଦୋକାନରୁ ୪୪ ଟି ମୋବାଇଲ ନେଇ ଚୋର ଚମ୍ପଟ ମାରିଥିବା ବେଳେ ଯାହାର ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏ ସମ୍ପର୍କରେ ଦୋକାନ ମାଲିକ ଶ୍ରୀ ସାମଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚମ୍ପୁଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।