ନୂଆଦିଲ୍ଲୀ , ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍ ଷ୍ଟକ୍ ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ । ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ ।
ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ । ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର ପୁନରାବୃତ୍ତି କରାଯିବ ।
ଏଠାରେ ସୂଚନାଯୋଗ୍ୟ ଯେ ଜମାଖୋରୀ ଏବଂ ବେଆଇନ ମହଜୁଦକୁ ରୋକିବା ତଥା ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଡାଲି ଉପଲବ୍ଧତାରେ ସୁଧାର ଆଣିବା ଲାଗି ୨ ଜୁନ୍ ୨୦୨୩ରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୯୫ କୁ ଲାଗୁ କରି ସରକାର ହରଡ଼ ଓ ବିରି ଡାଲିର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଥିଲେ । ଏହି ଆଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଷ୍ଟକ୍ ସୀମା ନିର୍ଦ୍ଧାରଣ କରାଯାଇଛି ।
ପ୍ରତ୍ୟେକ ଡାଲି ଉପରେ ଷ୍ଟକ୍ ସୀମା ଲାଗୁ ହେବ । ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଷ୍ଟକ୍ ସୀମା ୨୦୦ ମେଟ୍ରିକ ଟନ୍, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ମେଟ୍ରିକ ଟନ୍, ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ୫ ମେଟ୍ରିକ ଟନ୍ ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବିକ୍ରୟ କେନ୍ଦ୍ରର ଡିପୋରେ ୨୦୦ ମେଟ୍ରିକ ଟନ୍ ଷ୍ଟକ୍ ସୀମା ନିର୍ଦ୍ଧାରଣ କରାଯାଇଛି । ସେହିପରି ମିଲରଙ୍କ କ୍ଷେତ୍ରରେ ଶେଷ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫% ଷ୍ଟକ୍ ସୀମା ନିର୍ଦ୍ଧାରଣ କରାଯାଇଛି । ବିଭାଗର ପୋର୍ଟାଲରେ ଷ୍ଟକ୍ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଏସବୁ ସଂସ୍ଥାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।
ଷ୍ଟକ୍ ସୀମା ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ପୋର୍ଟାଲରେ ଷ୍ଟକ୍ ସମ୍ପର୍କରେ ସୂଚନା ଦେବା ସ୍ଥିତିକୁ ଉପଭୋକ୍ତା ବ୍ୟାପାର ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅନୁଧ୍ୟାନ କରାଯାଉଛି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲୁସି) ଓ ରାଜ୍ୟ ପଣ୍ୟାଗାର ନିଗମ (ଏସଡବ୍ଲୁସି)ର ଗୋଦାମରେ ବିଭିନ୍ନ ସଂସ୍ଥା ଦ୍ୱାରା ରଖାଯାଉଥିବା ଷ୍ଟକ୍ ଆଦିର ତଥ୍ୟକୁ ପୋର୍ଟାଲରେ ଘୋଷଣା କରାଯାଇଥିବା ମାତ୍ରା ସହିତ ତୁଳନା କରାଯାଇଛି ।
ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ନିରନ୍ତର ଭାବେ ମୂଲ୍ୟ ଅନୁଧ୍ୟାନ କରୁଛନ୍ତି ଏବଂ ଷ୍ଟକ୍ ସୀମା ଆଦେଶର ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷ୍ଟକର ସ୍ଥିତିକୁ ଯାଞ୍ଚ କରୁଛନ୍ତି ।