
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତାରେ ଥିବା ରେଲୱେ ଓଭରବ୍ରିଜ ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ମୃତ ଅବସ୍ଥାରେ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଜିଆରପି ପୋଲିସ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଥିଲା। ମୃତ ମହିଳାଙ୍କ ପରିଚୟ ସନ୍ଧାନରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରରେ ଶବକୁ ଜିଆରପି ପୋଲିସ ୯୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲା। ପରେ ମୃତ ମହିଳାଙ୍କ ପରିଚୟ ମିଳିପାରି ନ ଥିବାରୁ ଜିଆରପି ପୋଲିସ ଏହି ଅଜ୍ଞାତ ଶବର ସତ୍କାର ନିମନ୍ତେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲା। ଖବର ପାଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସ୍ଵର୍ଗରଥ ଧରି ଶବ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲେ। ସମସ୍ତ ଔପଚାରିକତା ପରେ ଜିଆରପି ପୋଲିସ ଉପସ୍ଥିତିରେ ସଂଗଠନର ସଦସ୍ୟମାନେ ଶବକୁ ସଂରକ୍ଷଣ କେନ୍ଦ୍ରରୁ ବାହାର କରି ସ୍ଵର୍ଗରଥ ଯୋଗେ ବିଭୁତିପଡା ସ୍ମଶାନକୁ ନେଇଥିଲେ। ସେଠାରେ ସସମ୍ମାନେ ସେହି ଅଜ୍ଞାତ ମହିଳାଙ୍କ ଶେଷ ସଂସ୍କାର ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଦ୍ଵାରା କରାଯାଇଥିଲା। ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଏମ୍.ଡି. ବବଲୁ ଓ ରାହୁଲ ବାଗ ଏବଂ ସ୍ଥାନୀୟ ଧର୍ମେନ୍ଦ୍ର କୁମ୍ଭାର ସହଯୋଗ କରିଥିବା ବେଳେ ଆବଶ୍ୟକୀୟ କାଠ ଓ ଅନ୍ୟାନ୍ୟ ଉପଯୁକ୍ତ ସାମଗ୍ରୀ ଯୋଗାଇବାରେ ଯୁବ ସମାଜସେବୀ ଟୁନା ମିଶ୍ର ସହଯୋଗ କରିଥିଲେ।