
ବଲାଙ୍ଗିର, ସାମ୍ବାଦିକ ମାନଙ୍କ ୧୧ ଦଫା ଦାବି ନେଇ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” ଜିଲ୍ଲା ଶାଖା ଜର୍ଣ୍ଣାଲିଷ୍ଟ ୟୁନିଅନ ଅଫ ବଲାଙ୍ଗିର (ଜେୟୁବି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ନେତୃତ୍ଵରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ସରକାର ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ଜନ କଲ୍ୟାଣମୂଳକ ସୁବିଧା ସୁଯୋଗ ସହିତ ପ୍ରଶଂସନୀୟ ଯୋଜନା ମାନ ପ୍ରଣୟନ କରି ସମଗ୍ର ଦେଶରେ ଆମ ରାଜ୍ଯ ଓଡ଼ିଶାର ଗୌରବ ଓ ସୁନାମକୁ ଶୀର୍ଷରେ ପହଞ୍ଚାଇ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। ଅପରପକ୍ଷେ ବିଜେଡି ସରକାରର ସମସ୍ତ କଲ୍ୟାଣକାରୀ ଯୋଜନା ଓ ସୁଶାସନକୁ ନେଇ ଓଡ଼ିଶାର ସାମ୍ବାଦିକ ମାନେ ଲଗାତାର ଖବର ପରିବେଷଣ କରିଚାଲିଛନ୍ତି। ଆମ ରାଜ୍ଯରେ ସଂଖ୍ୟାଧିକ ସାମ୍ବାଦିକ ଆର୍ଥିକ ଅନାଟନର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ଓ ପରିବେଷଣ ବେଳେ ଅସାମାଜିକ ଏବଂ ମାଫିଆ ମାନଙ୍କ ଦ୍ଵାରା ଆକ୍ରମଣର ଶୀକାର ମଧ୍ୟ ହେଉଛନ୍ତି। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଏସୟୁଜେ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବି ଗୁଡ଼ିକ ରଖାଯାଇଛି। ଆଶା ଓ ବିଶ୍ବାସ ସମସ୍ତ ଦାବି ଗୁଡ଼ିକ ରାଜ୍ଯ ସରକାର ଅବିଳମ୍ବେ ପୂରଣ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ଜାଗ୍ରତ ପ୍ରହରୀ ଗଣମାଧ୍ୟମ ପ୍ରତିନିଧି (ସାମ୍ବାଦିକ) ମାନଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦର୍ଶନ କରିବେ । ପତ୍ରରେ ଉଲ୍ଲିଖିତ ଦାବି ଗୁଡିକ ମଧ୍ୟରେ ହେଲା, ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ। ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶିକୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି ସହିତ ଚିକିତ୍ସାର ଯାବତୀୟ ଖର୍ଚ୍ଚକୁ ବୀମା ଅର୍ଥରୁ ଭରଣା କରାଯିବା, ଯେଉଁ ସାମ୍ବାଦିକ ମାନେ ୧୫ ବର୍ଷ ରୁ ଅଧିକ ଅବଧି ଧରି କାର୍ଯ୍ୟ କରିଛନ୍ତି ସେମାନେ ବିଭିନ୍ନ କାରଣରୁ ଯଥା – ରୋଗଗ୍ରସ୍ତ, ଦୁର୍ଘଟଣାରେ ଆହତ ବା ଅକର୍ମଣ୍ୟ, ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ କାମ କରିପାରୁ ନାହାନ୍ତି, ସେମାନଙ୍କୁ ଆଜୀବନ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ଯୋଜନାରୁ ବାଦ୍ ଦିଆ ନଯାଇ ସମସ୍ତ ସୁବିଧା ସୁଯୋଗ ଗୁଡିକ ପ୍ରଦାନ । ସାମ୍ବାଦିକଟିର ଅକାଳ ବିୟୋଗରେ ତା”ର ପରିବାରକୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି । ରାଜଧାନୀ ଭୁବନେଶ୍ଵର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ, ଶିକ୍ଷାନୁଷ୍ଠାନ, ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଗୁଡିକ ରହିଥିବାରୁ ସେଠାରେ ସାମ୍ବାଦିକ ସପରିବାର ସାମୟିକ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ। କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ଅତି କମରେ ମାସିକ “୧୫ ହଜାର ଟଙ୍କା ଭତ୍ତା” ଏବଂ ଅତି କମରେ ୧୫ ବର୍ଷ କାର୍ଯ୍ୟ କରି ଅବସର ନେଇଥିବା ସାମ୍ବାଦିକଙ୍କୁ “୨୦ ହଜାର ଟଙ୍କା ପେନସନ” ପ୍ରଦାନ। ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ସବ-ଡିଭିଜନ, ପୌରାଞ୍ଚଳ ଏବଂ ବ୍ଲକ ସଦର ମହକୁମାରେ କମ୍ପୁଟର ଏବଂ ଇଣ୍ଟରନେଟ ସହିତ ଅନ୍ୟାନ୍ୟ ସୁବିଧା ଥାଇ “ସାମ୍ବାଦିକ ପ୍ରକୋଷ୍ଠ” ନିର୍ମାଣ। ଗତ ୫ ବର୍ଷ ଧରି ସରକାର ପ୍ରଦାନ କରି ଆସୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଓ ସାମ୍ବାଦିକ କଲ୍ୟାଣ ଯୋଜନାର କୌଣସି ନିୟମ ପରିବର୍ତ୍ତନ ନକରି ପୂର୍ବବତ ସେହି ଢାଂଚାକୁ ଅପରିବର୍ତ୍ତିତ ରଖିବା। ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ “ପୋର୍ଟାଲ ସାମ୍ବାଦିକ” ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରାଯିବା। ରାଜ୍ୟରେ ପ୍ରେସ ଏକାଡେମୀ ଗଠନ ଏବଂ ମିଡ଼ିଆ ହାଉସ ପରିବର୍ତ୍ତେ ସରକାର ନିଜେ ସାମ୍ବାଦିକକୁ ଅଧିସ୍ବୀକୃତି ପ୍ରଦାନ କରନ୍ତୁ ଓ ଜିଲ୍ଲା, ସବ-ଡିଭିଜନ ପୌରାଞ୍ଚଳ ଓ ବ୍ଲକ ସ୍ତରରେ ବିଭିନ୍ନ ସରକାରୀ କମିଟିରେ ଏକାଧିକ ସାମ୍ବାଦିକ ମାନଙ୍କୁ ସଭ୍ୟ ଭାବେ ନିଆଯାଉ।
ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏସୟୁଜେ ର ସାଧାରଣ ସମ୍ପାଦକ ଶରତ ମହାକୁଡ଼, ଏସୟୁଜେ ର ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ଜିଲ୍ଲା ସମ୍ପାଦକ ରଘୁନନ୍ଦନ ସିଂହ, ନିରୋଜ୍ କୁମାର ମିଶ୍ର, ମହେନ୍ଦ୍ର ପଧାନ, ରାଧାକୃଷ୍ଣ ମିଶ୍ର, ସନ୍ତୋଷ କୁମାର ଠାକୁର, ପବନ ବନ୍ସଲ, ବାଲକ୍ରିଷ୍ଣ ଷଡଙ୍ଗୀ ଓ ଜୟ ପ୍ରକାଶ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ।