ନୀତିକାନ୍ତିରେ ଘୋର ବିଶୃଙ୍ଖଳା । ସେବକ ଲଗାମହୀନ, ଦାୟିତ୍ୱହୀନ ପ୍ରଶାସନ । ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ଘରେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତିରେ ଘୋର ବିଭ୍ରାଟ । ଦୁଇ ରାତି ହେଲା ଠିକ୍?ରେ ଠାକୁରମାନେ ଶୋଇ ନଥିବାବେଳେ ଗତକାଲି ହେରାପଞ୍ଚମୀ ନୀତି ବିଳମ୍ବ ସବୁ ସୀମା ଡେଇଁ ଯାଇଛି । ମହାଲକ୍ଷ୍ମୀ ରଥ ଭାଙ୍ଗି ଶ୍ରୀମନ୍ଦିର ଫେରିବା ବେଳକୁ ସକାଳ ପାହି ଯାଇଥିଲା । ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ନୀତି ପ୍ରଶାସକ ପ୍ରତିକ୍ରିୟା ଦେବା ବେଳକୁ ପାଟି ଅଠା ବାନ୍ଧି ଯାଉଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ଖସି ଯିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଏଥିପାଇଁ ସିଧା ପ୍ରଶାସନକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି ପୁଷ୍ପାଳକ ସେବାୟତ ।
ଗତକାଲି ଥିଲା ଅନନ୍ୟ ହେରାପଞ୍ଚମୀ ନୀତି । ମହାପ୍ରଭୁ ଜଗନ୍ନାଥ, ରଥଯାତ୍ରାରେ ସାଙ୍ଗରେ ଆଣିନଥିବାରୁ କୋପ କରିଥିବା ପତ୍ନୀ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି ସେଠି ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି । ଯାହାକୁ ଭକ୍ତମାନେ ଚର୍ମଚକ୍ଷୁରେ ପ୍ରତିବର୍ଷ ଦର୍ଶନ କରିଥାନ୍ତି । ହେଲେ ସେ ନୀତିରେ କିନ୍ତୁ ଗତକାଲି ଘଟିଥିଲା ଅହେତୁକ ବିଳମ୍ବ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପୂଜା ବେଳକୁ ବାଜି ଯାଇଥିଲା ଭୋର ୪ଟା ୧୫ । ସେପଟେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ରାତି ୩ଟାରେ ବାହାରି, ଗୁଣ୍ଡିଚା ମନ୍ଦିର ଆଗରେ ରଥଭଙ୍ଗା ନୀତି ସାରି ଫେରିଲା ବେଳକୁ ଭୋର ସାଢ଼େ ୫ଟା ବାଜି ଯାଇଥିଲା ।
ପତିମହାପାତ୍ର ସେବକ ନବକିଶୋର ପତିମହାପାତ୍ର କହିଛନ୍ତି, ନୀତି ବିଳମ୍ୱ କରାଯାଉଥିବାରୁ ରବିବାର ସକାଳେ ଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା ନୀତି ସମାପନ ହୋଇଛି । ଏହା ଦୁଃଖର ବିଷୟ, ଏପରି ହେବାକଥା ନୁହେଁ ।
ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି । ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା । ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ । ସେମିତି ରୋଷହୋମ ସକାଳ ୧୦ଟା ୪୫, ସୂର୍ଯ୍ୟପୂଜା ୧୧ଟା ୨୫ ଓ ସକାଳ ଧୂପ ସରିବାବେଳକୁ ଦିନ ଗୋଟାଏ ୨୦ ମିନିଟ୍ ବାଜିଗଲା । ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ରଥ ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ବିଜେ ବେଳକୁ ଅପରାହ୍ନ ୨ଟା ୧୫ ହୋଇଥିଲା । ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇଛନ୍ତି ।
ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ମହାପ୍ରଭୁ ନୀତି ପରିଚାଳନାରେ ପ୍ରଶାସନ ଫେଲ୍ ମାରିଛି । ଯଦି ଜଗନ୍ନାଥଙ୍କ ଇଚ୍ଛାରେ ସବୁ ହେଉଥାଆନ୍ତା ତେବେ ଏତେ ସଂଖ୍ୟକ ପ୍ରଶାସକ, ପୁଲିସ ଛାଉଣୀ, ସୁରକ୍ଷା ବ୍ୟବସ୍ଥା କ’ଣ ଆବଶ୍ୟକ ରହିଛି । ଦାୟିତ୍ୱ ହୁଡ଼ୁଥିବା ପ୍ରଶାସକ ମାନେ କାମ ଠିକ୍ ଭାବେ କରୁ ନ ଥିବା ଏହା ଦର୍ଶାଉଛି ।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୀତି କରାଯାଉଥିବାରୁ ଏଭଳି ବିଳମ୍ୱ ହୋଇଥିବା କହି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରୁ ଖସି ଯାଇଛନ୍ତି ।
ଏଣେ ବିଳମ୍ବିତ ନୀତିକାନ୍ତି ଭିତରେ ଆଜି ହୋଇଛି ବଡ ଠାକୁର ବଳଭଦ୍ରଙ୍କ ତାଳଦ୍ୱଜ ଏବଂ ଦେଵୀ ଶୁଭଦ୍ରା ଙ୍କ ଦର୍ପ ଦଳନ ରଥର ଦକ୍ଷିଣ ମୋଡ଼ ହୋଇଛି । ପରଂପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜି ଦୁଇ ରଥର ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ରଥଦ୍ବୟ ଙ୍କୁ ଭାବ ଓ ଭକ୍ତିର ସହ ଭକ୍ତମାନେ ଟାଣି ନାକଚଣା ଦ୍ୱାର ଆଗରେ ରଖିଛନ୍ତି । ଏଥି ସହିତ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ।