
-
ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-
ମୃତକଙ୍କ ନିମନ୍ତେ ୨ ଲକ୍ଷ ଏବଂ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଲେଜ ଛକ ତଥା ମଉଳା ଭଣଜା ନିକଟରେ ଗତକାଲି ରାତି ପ୍ରାୟ ୧ଟା ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)ର ଏକ ଯାତ୍ରୀବାହୀ ବସ୍ ସହ ଦେଉଳି ଗାଁରୁ ଖଣ୍ଡଦେଉଳି ଆଡକୁ ଆସୁଥିବା ଏକ କନ୍ୟାଯାତ୍ରୀ ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କନ୍ୟାଯାତ୍ରୀ ବସ୍ ର ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୪ ଜଣ ମହିଳା, ୬ ଜଣ ପୁରୁଷ ଏବଂ ଦୁଇ ଜଣ ଶିଶୁ ରହିଛନ୍ତି । ମୃତକ ମାନେ ହେଲେ ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ ଏବଂ ଅନ୍ୟ ୪ ଜଣ । ବସ୍ ରେ ୩୦ ଜଣ କନ୍ୟା ଯାତ୍ରୀ ଫେରୁଥିଲେ । ଏମାନେ ସମସ୍ତେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାର ଲୋକ ବୋଲି ଜଣାପଡିଛି । ଖବର ପାଇ ଦିଗପହଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଆହତ ଓ ମୃତକଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍ ରୁ ଉଦ୍ଧାର କରିଥିଲେ । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ମୃତକମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କୁ ସମବେଦନା ଜଣାଇଛନ୍ତି । ଏବଂ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଆହତ ମାନଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତ ମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।