ପୁରୀ, ଭକ୍ତର ଡ଼ୋରିରେ ବନ୍ଧା ଭାବଗ୍ରାହୀ । କାଳିଆ ଯେଉଁଠି ଗହଳି ସେଇଠି । ଶ୍ରୀମନ୍ଦିର ଏବେ ଖାଁ ଖାଁ । ହସୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶରଧାବାଲି ଏବେ ଲୋକାରାଣ୍ୟ । ଆଜି ସକାଳୁ ଲଘୁଚାପଜନିତ ଝିପି ଝିପି ବର୍ଷା ଲାଗି ରହିଛି । ପ୍ରଭୁ ଇନ୍ଦ୍ର ଦେବ ପୁଷ୍ପ ବୃଷ୍ଟି କରି ଜଳ ସିଂଚନ କରୁଛନ୍ତି । ବ୍ରହ୍ମାଣ୍ଡ ଠାକୁର ଜନ୍ମବେଦିରେ ବିରାଜମାନ କରିଛନ୍ତି । ରଥଯାତ୍ରା ଦେଖିବା ପାଇଁ ସ୍ଵର୍ଗପୁରରେ ତେତିଶି କୋଟି ଦେବତା ଚାହିଁ ରହିଛନ୍ତି । ଏଣେ ଭକ୍ତ ମାନେ ବଡ଼ଶଙ୍ଖ ଠାରୁ ଲମ୍ବା ଧାଡ଼ିରେ ଯାଇ ପ୍ରଭୁଙ୍କ ଆଡ଼ପ ଦର୍ଶନ କରୁଛନ୍ତି । ବେଢ଼ା ପରିକ୍ରମା ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ଆଡ଼ପ ଅଭଡ଼ା ସେବନ କରି ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଏହି ମହାପ୍ରସାଦ ମଧ୍ୟରେ ରହିଛି ଘିଅଅନ୍ନ, ସାଧାଅନ୍ନ, କାନିକା, ଖେଚେଡ଼ି, ମିଠାଅନ୍ନ, ଡାଲି, ମିଠାଡାଲି, ଡାଲମା, ବେସର, ମହୁର, ଖଟା, ଶାଗ ଆଦି ବ୍ୟଞ୍ଜନ । ୨୭ ତାରିଖ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଯଜ୍ଞବେଦିରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିବା ସହ ଆଡ଼ପ ଅଭଡ଼ା ପାଇପାରିବେ । ଏହି ଦିନ ସଂନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ଏହାପରେ ୨୮ ତାରିଖ ବାହୁଡ଼ା ଯାତ୍ରା, ୨୯ରେ ସୁନାବେଶ ଅନୁଷ୍ଠିତ ହେବ । ୩୦ ତାରିଖରେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହେବ । ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ ।
Related Stories
November 23, 2024