
ମାଲକାନଗିରି,ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ନିଯୁକ୍ତି ହୋଇନାହାନ୍ତି ବିଶେଷଜ୍ଞ ଡାକ୍ତର । ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚିକିତ୍ସାଳୟକୁ ୨୦୧୭ – ୨୦୧୮ ମସିହାରେ ଉପଖଣ୍ଡ ଚିକିତ୍ସାଳୟ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ, ଦୀର୍ଘ ୨ ବର୍ଷ ପରେ ଅର୍ଥାତ ଗତ ୨୦୨୧ ମସିହାରେ ହିଁ ଏହା ଉପଖଣ୍ଡ ଚିକିତ୍ସାଳୟ ଭାବେ ମାନ୍ୟତା ପାଇଲା ।
ସୂଚନାଯୋଗ୍ୟ ଯେ, ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ମୋଟ୍ ୧୯ ଡାକ୍ତର ପଦବୀ ରହିଥିବା ବେଳେ ଏବେ ମାତ୍ର ୮ ଜଣ ଏମବିବିଏସ୍ ଡାକ୍ତର ଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସ୍ଵତନ୍ତ୍ର ପାଣ୍ଠିରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଚିକିତ୍ସାଳୟରେ ଶଲ୍ୟ ଓ ମେଡ଼ିସିନ ପରି ଗୁରୁତ୍ଵପୂର୍ଣ୍ଣ ବିଭାଗର ବିଶେଷଜ୍ଞ ଡାକ୍ତର ପଦ ଖାଲିପଡିଛି । ଏହା ହେଉଛି ଉପଖଣ୍ଡ ଚିକିତ୍ସାଳୟର ବାସ୍ତବ ସ୍ଥିତି । ସେହିଭଳି ଡାକ୍ତର ଅମିୟ କୁମାର ସ୍ଵାଇଁ ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଭାବେ କାର୍ଯ୍ୟରତ । ଡାକ୍ତର ଶ୍ରୀ ସ୍ଵାଇଁ ନିଜେ ଚିକିତ୍ସାଳୟର କାର୍ଯ୍ୟାଳୟ ଭାର ସମ୍ଭାଳିବା ସହିତ ଆଦିବାସୀ ଅଂଚଳରେ ଗାଁ ଗାଁରେ ବୁଲି ସ୍ଵାସ୍ଥ୍ୟ ମେଳାରେ ଯୋଗଦେବା ସହିତ ଦୁର୍ଘଟଣାଜନିତ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ମାସକୁ ୭ରୁ ୧୦ଟି ଆସୁଛି । ସେ ଏହି ଦାୟିତ୍ଵ ତୁଲାଉଛନ୍ତି । ଯେଉଁଥି ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ଉପଖଣ୍ଡ ବିକିତ୍ସାଳୟ ମାନ୍ୟତା ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ଜଣେ ମାତ୍ର ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଫୁଲ ବେହେରାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ, କିଛି ଦିନ ରହିବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ପଠାଇଥିଲେ । ଏପରି ସ୍ଥିତିରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ରୋଗୀସେବା କିପରି ଚାଲିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଡାକ୍ତର ଅଭାବ ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଜନ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁଁ ଲୋକେ ସେବା ନପାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ବିଶାଖାପାଟଣା ଯାଇ ଚିକିତ୍ସିତ ହେଉଛନ୍ତି । ସାମାନ୍ୟ ଗୁରୁତର ରୋଗୀ ହୋଇଥିଲେ ସେମାନଙ୍କୁ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ଯିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇ ପଠେଇ ଦେଉଛନ୍ତି । ଫଳରେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ବୋଲି କିଛି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ଅତିଶୀଘ୍ର ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସାଧାରଣରେ ଦାବି ହେଉଛି ।