
ମାଲକାନଗିରି, ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ସୟଦ ସବୀର ସାହଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ସରକାରୀ ଜାଗାରେ ନିର୍ମାଣ କରାଯାଇଥିବା କୋଠାକୁ ଭଙ୍ଗା ଯାଇଛି। ଏଥି ନିମନ୍ତେ ଉପ ଜିଲ୍ଲାପାଳ ଡଃ. ଅକ୍ଷୟ କୁମାର ଖେମୁଣ୍ଡୁ ମାଜିଷ୍ଟ୍ରେଟ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଦାୟିତ୍ଵରେ ଅତିରିକ୍ତ ତହସିଲଦାର ଜଗଦୀଶ କର୍ତ୍ତାମୀ ଉପସ୍ଥିତ ଥିଲେ।
ସୂଚନା ଥାଉ କି, ଏଥି ନିମନ୍ତେ ମାଲକାନଗିରି ତହସିଲ୍ କାର୍ଯ୍ୟାଳୟ ତରଫରୁ ଶ୍ରୀ ବରାଳଙ୍କୁ ତିରିଶ ଦିନିଆ ନୋଟିସ୍ ପ୍ରଦାନ କରାଯାଇଥିଲା। ନୋଟିସ୍ ସମୟ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା ସରକାରୀ ଜାଗାକୁ ଖାଲି କରାଯାଇନଥିଲା। ତେଣୁ ସରକାରୀ ଜାଗାକୁ ଜବରଦଖଲ କରିଥିବାରୁ ଶୁକ୍ରବାର କୋଠାଟିକୁ ଭଙ୍ଗା ଯାଇଛି।
ଏହି ଉଚ୍ଛେଦ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ବ ପରିଦର୍ଶକ ରଣଦା ପ୍ରସାଦ ମଣ୍ଡଳ, ରାଜସ୍ବ ନୀରିକ୍ଷକ ଶ୍ରୀନିବାସ ପଟ୍ଟନାୟକ ଏବଂ ତହସିଲ୍ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ।