
ମାଲକାନଗିରି,ସରକାରୀ ଅଧିକାରୀଙ୍କ ନକଲି ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ମହିଳା ଠିକାଦାରଙ୍କ ବିରୋଧରେ ଥାନାରେ ଏତଲା ଦେଲେ ମାଲକାନଗିରି ପୌର ଅଧିକାରୀ। ମାଲକାନଗିରି ଜିଲ୍ଲା ପୋଟେରୁ ଗାଁର ମହିଳା ଠିକାଦାର ରଞ୍ଜିତା ଭୌମିକ ମାଲକାନଗିରି ପୌର ପରିଷଦ ଅଧିନରେ ଥିବା ସଂସ୍କୃତି ଭବନ ଠାରୁ ଏମ.ଭି.-୨ ଗାଁ ପର୍ଯ୍ୟନ୍ତ ରାସ୍ତା କାମର ଟେଣ୍ଡର ପାଇଛନ୍ତି। ତେବେ ଟେଣ୍ଡର କାର୍ଯ୍ୟର ଲେସ୍ ଆମାଉଣ୍ଟ ପ୍ରାୟ ୫ ଲକ୍ଷ ହୋଇଥିବା ବେଳେ ବ୍ୟାଙ୍କରୁ ଦୁଇଟି ଟିଡିଆର କରି ପୌର ପରିଷଦରେ ଜମା କରିଥିଲେ ରଞ୍ଜିତା। ହେଲେ କିଛି ଦିନ ପରେ ଏହାର ଏକ ନକଲ ବାହାର କରି ଏଥିରେ ପୌର ଅଧିକାରୀଙ୍କ ନକଲି ଦସ୍ତଖତ କରି ରଞ୍ଜିତା ମାଲକାନଗିରି ଏଚଡିଏଫସି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ, ବ୍ୟାଙ୍କ ଅଧିକାରୀଙ୍କୁ ଏଥିରେ ସନ୍ଦେହ ହେବାରୁ ପୌର ଅଧିକାରୀଙ୍କୁ ସ୍ପଷ୍ଟିକରଣ ମାଗିଥିଲେ। ଦସ୍ତଖତ ପୌର ଅଧିକାରୀଙ୍କ ହୋଇ ନଥିବାରୁ ସମ୍ପୃକ୍ତ ମହିଳା ଠିକାଦାରଙ୍କ ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ। ଅଭିଯୋଗ ପାଇ ପୋଲିସ ଏବେ ମହିଳା ଠିକାଦାରଙ୍କୁ ଖୋଜୁଥିବା ବେଳେ ରଞ୍ଜିତା ଫେରାର ଅଛନ୍ତି।