ପୁରୀ,ନବଦିନାତ୍ମକ ଯାତ୍ରାର ଆଜି ତୃତୀୟ ଦିନରେ ଚତୁର୍ଦ୍ଧାମୂର୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ରଥ ଉପରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ରଥ ଉପରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ସକାଳ ୬ଟା ୨୫ ରୁ ୭ଟା ମଧ୍ୟରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳଆଳତୀ ଅନୁଷ୍ଠିତ ହୋଇଛି । ୭ଟାରୁ ୭ଟା ୧୦ ମଧ୍ୟରେ ମଇଲମ ଓ ତଡ଼ପ ଲାଗି, ୭ଟା ୧୦ରୁ ୭ଟା ୫୫ ମଧ୍ୟରେ ଅବକାଶ ପୂଜା, ୮ଟା ୧୦ ରେ ବେଶ ଶେଷ ହୋଇଛି । ୮ଟା ୪୦ରୁ ୯ଟା ୨୦ ମଧ୍ୟରେ ତିନି ରଥ ଉପରେ ଶ୍ରୀଜୀଉମାନଙ୍କ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହୋଇଛି । ପରେ ପରେ ୯ଟା ୨୫ରୁ ୧୦ଟା ୩୫ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହୋଇ ମଇଲମ ହୋଇଛି । ମଇଲମ ପରେ ୧୦ଟା ୫୫ରେ ମହାସ୍ନାନ, ୧୧ଟା ୫ରେ ସର୍ବାଙ୍ଗ, ୧୧ଟା ୨୦ ରେ ବେଶ ଶେଷ ହୋଇଛି । ହଜାର ହଜାର ସଂଖ୍ୟାରେ ଭକ୍ତ ରାତିତମାମ ଓ ସକାଳୁ ତିନି ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରୁଛନ୍ତି । ସକାଳୁ ଝିପିଝିପି ବର୍ଷା ସତ୍ବେ ରଥ ନିକଟରେ ଭକ୍ତଙ୍କ ଗହଳି ଲାଗି ରହିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ଅପରାହ୍ନ ୪ଟାରୁ ଆଡ଼ପ ପହଣ୍ଡି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି ।
Related Stories
November 23, 2024
November 23, 2024
November 23, 2024