-
ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ,
-
ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ,
ପ୍ରବଳ ଖରା ଓ ଗରମକୁ ଖାତିର ନକରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଧାଇଁ ଆସିଛନ୍ତି ଅଗଣିତ ଶ୍ରଦ୍ଧାଳୁ । କଥାରେ ଅଛି ଦୋଳେଶ୍ଚ ଦୋଳଗୋବିନ୍ଦ, ଚାପେଶ୍ଚ ମଧୁସୂଦନ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ । ଅର୍ଥାତ ରଥରେ ପ୍ରଭୁଙ୍କ ଦର୍ଶନ କଲେ ମୋକ୍ଷ ମିଳିଥାଏ । ତେଣୁ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥାରୂଢ଼ ଭାବେ ଦର୍ଶନ କରିବା ନିମନ୍ତେ ପୁରୀ ସହର ଜନସମୁଦ୍ର ପାଲଟି ଯାଇଥିଲା । ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜକୁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ଟାଣିବା ସହ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ୱଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଥିଲେ |ତାଳଧ୍ୱଜ ଗଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଆଗକୁ ଗଡ଼ିବା ପରେ ଶେଷରେ କାଳିଆ ଠାକୁରଙ୍କ ରଥ ‘ନନ୍ଦିଘୋଷ’କୁ ଶରଧାବାଲି ଅଭିମୁଖେ ଟଣା ଆରମ୍ଭ ହୋଇଥିଲା । ତେବେ ପୂର୍ବାହ୍ନରେ ପାଗ ସାମାନ୍ୟ ମେଘୁଆ ରହିଥିବାବେଳେ ଅପରାହ୍ନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବାବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଥିଲା । ପୁରୀରେ ୩୪ ଡିଗ୍ରୀ ତାପମାତ୍ରା ଓ ୭୨ ପ୍ରତିଶତ ଆଦ୍ରତାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଥିଲେ । ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ପ୍ରକୋପ ପ୍ରଭାବିତ କରିପାରି ନଥିଲା । ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଝାଡ଼ୁ ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା । ଘୋଡ଼ା ଓ ସାରଥି ଲଗାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ବଦଦାଣ୍ଡରେ ନିଜର କଳା ନୈପୁଣ ପଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା |
ଏଥି ସହିତ ସୂର୍ଯ୍ୟାସ୍ତ ପରେ ମଧ୍ୟ ରଥ ଟଣା ଯାଇଥିଲା |ଏଭଳି ଘଟଣାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ତରଫରୁ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ରଥ ଟଣା ଯାଇନଥାଏ କିନ୍ତୁ ପ୍ରଶାସନ ତରଫରୁ ସୂର୍ଯ୍ୟାସ୍ତ ପରେ ରଥ ଟଣା କାର୍ଯ୍ୟକୁ ନିନ୍ଦା କରିବା ସହିତ ଆଗାମୀ ଦିନରେ ସୂର୍ଯ୍ୟାସ୍ତ ପରେ ରଥ ଟଣା ନ ଯାଉ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଶାସନକୁ ସେନା ଆବାହକ ଅନୁରୋଧ କରିଛନ୍ତି |