କନ୍ଧମାଳ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ରାଜ୍ୟ ସମେତ ସମଗ୍ର ବିଶ୍ବ ରେ ପାଳିତ ହେଉଛି। ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଆୟୋଜନ ରେ,ତିନି ଠାକୁରଙ୍କ ରଥ ଯାତ୍ରା ପର୍ବ ଅତି ଜାକଜମକରେ ପାଳିତ ହୋଇଛି। ସକାଳୁ ତିନି ଠାକୁରଙ୍କ ରୀତି ନୀତିରେ ପାଳିତ ହେବା ପରେ,ଗଜପତି ଭାବରେ କନ୍ଧମାଳ ଜିଲ୍ଲାପାଳ ଈଶ୍ୱର ପାଟିଲ ଏବଂ ତାଙ୍କର ଧର୍ମପତ୍ନୀ ଡା.ରୁଚିକା ପାଟିଲ ପହଞ୍ଚି ତିନି ଠାକୁରଙ୍କ ପୂଜା ଅର୍ଚ୍ଚନା କରିବା ପରେ ଜିଲ୍ଲାପାଳ ପାରମ୍ପାରିକ ନୀତିରେ ଜିଲ୍ଲାପାଳ ଛେରା ପହଁରା କରିଥିଲେ।ଏହି ଅବସରରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ମଧ୍ୟ ଯୋଗ ଦେଇଥିଲେ। ଅପରାହ୍ନ ୨ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ମନ୍ଦିର ରୁ ସ୍ଥାନୀୟ ମାଦିକୁନ୍ଦା ଛକ ସ୍ଥିତ ଦଧିବାମନ ମନ୍ଦିର ଅଭିମୁଖେ ରଥ ଯାତ୍ରା ଆରମ୍ଭ କରାଯାଇଥିଲା। ରଥ ଟଣା ପାଇଁ ଫୁଲବାଣୀ ଟିମ୍ ହ୍ୟୁମାନିଟି ର ସଦସ୍ୟ ସଦସ୍ୟା ମାନଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ଅବସର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ଯାପକ ପୁଲିସ ମୁତୟନ କରାଯାଇଥିଲା। ଯାତ୍ରା ବେଳେ ନଟରାଜ କଳା ମନ୍ଦିର ସାଂସ୍କୃତିକ ଅନୁଷ୍ଠାନ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଏହା ସହିତ ଘଣ୍ଟ ଘଣ୍ଟା, କୀର୍ତ୍ତନ,ଗୋପାଳ ମାନଙ୍କର ବାଡି ଖେଳ ସମେତ ବିଭିନ୍ନ ମନୋରଞ୍ଜନ ନୃତ୍ୟ ପରିବେଷଣ ହୋଇଥିଲା। ଯାତ୍ରାରେ ଫୁଲବାଣୀ ର ମୁଖ୍ୟ ରାସ୍ତା ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଥିଲା। ସେହିପରି ଜିଲ୍ଲାର ଫିରିଙ୍ଗିଆ,ବାଲିଗୁଡା,ଟିକାବାଲି,କ. ନୂଆଗାଁ ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ରଥ ଯାତ୍ରା ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି।