ନୂଆଦିଲ୍ଲୀ, ଖରିଫ ବିପଣନ ଋତୁ (କେଏମ୍ଏସ୍) ୨୦୨୨ – ୨୩ ସମୟରେ ଭାରତ ସରକାରଙ୍କ ଦ୍ୱାରା ଧାନ କ୍ରୟ କାର୍ଯ୍ୟ ସୁଚାରୁ ରୂପେ ଚାଲୁ ରହିଛି । ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) ପରିଚାଳନା ଅନୁଯାୟୀ ୧୯.୦୬.୨୦୨୩ ସୁଦ୍ଧା କେନ୍ଦ୍ରୀୟ ଭଣ୍ଡାର ପାଇଁ ୮୩୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମ୍ଟି)ରୁ ଅଧିକ ଧାନ କ୍ରୟ କରାଯାଇଛି । ୧.୨୨ କୋଟିରୁ ଅଧିକ ଚାଷୀ ୧,୭୧,୦୦୦ କୋଟି ଟଙ୍କାରୁ ଅଧିକ ଏମ୍ଏସ୍ପି ବର୍ହିି ପ୍ରବାହ ସହିତ ଖରିଫ ବିପଣନ ଋତୁ ୨୦୨୨- ୨୩ ର ଚାଲୁ ରହିଥିବା ଧାନ କ୍ରୟ କାର୍ଯ୍ୟରୁ ଏପର୍ଯ୍ୟନ୍ତ ଉପକୃତ ହୋଇଛନ୍ତି । ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ କରାଯାଇଛି ।
ଅସୁବିଧା ମୁକ୍ତ ସୁନିଶ୍ଚିତ କ୍ରୟ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ ନିଶ୍ଚିତ କରାଯାଇଛି । କ୍ରୟ ହୋଇଥିବା ଧାନ ପ୍ରତିବଦଳରେ ଚାଉଳ ବିତରଣ ମଧ୍ୟ ଆଗେଇ ଚାଲିଛି ଏବଂ ୮୩୦ ଏଲ୍ଏମ୍ଟି ଧାନ (ଚାଉଳ ଅନୁଯାୟୀ ୫୫୮ ଏଲ୍ଏମ୍ଟି) କ୍ରୟ ବଦଳରେ, କେନ୍ଦ୍ରୀୟ ଭଣ୍ଡାରରେ ୧୯.୦୬.୨୦୨୩ ସୁଦ୍ଧା ପ୍ରାୟ ୪୦୧ ଏଲ୍ଏମ୍ଟି ଚାଉଳ କ୍ରୟ କରାଯାଇଛି ଏବଂ ଅନ୍ୟ ୧୫୦ ଏଲ୍ଏମ୍ଟି ଚାଉଳ କ୍ରୟ କରିବା ଏପର୍ଯ୍ୟନ୍ତ ବାକି ରହିଛି ।
ଚାଲୁଥିବା ରବି ମାର୍କେଟିଂ ଋତୁ (ଆର୍ଏମ୍ଏସ୍) ୨୦୨୩- ୨୪ ସମୟରେ ଗହମ କ୍ରୟ ମଧ୍ୟ ସୁଚାରୁ ରୂପେ ଚାଲୁ ରହିଛି । ୧୯.୦୬.୨୦୨୩ ସୁଦ୍ଧା ଚଳିତ ଋତୁରେ ଗହମର ପ୍ରଗତିଶୀଳ କ୍ରୟ ହେଉଛି ୨୬୨ ଏଲ୍ଏମ୍ଟି ଯାହା ଗତ ବର୍ଷର ମୋଟ କ୍ରୟ ୧୮୮ ଏଲ୍ଏମ୍ଟିରୁ ୭୪ ଏଲ୍ଏମ୍ଟି ଅଧିକ ଅଟେ । ସର୍ବନିମ୍ନ ସହାୟକ ମୂଲ୍ୟ ବର୍ହି ପ୍ରବାହ ୫୫,୬୮୦ କୋଟି ସହିତ ଚାଲିଥିବା ଗହମ କ୍ରୟ କାର୍ଯ୍ୟରୁ ପ୍ରାୟ ୨୧.୨୯ ଲକ୍ଷ ଚାଷୀ ଉପକୃତ ହୋଇ ସାରିଛନ୍ତି । କ୍ରୟରେ ପ୍ରମୁଖ ଅବଦାନ ରଖିଥିବା ତିନୋଟି ଆହରଣକାରୀ ରାଜ୍ୟ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ହରିୟାନାରୁ ଯଥାକ୍ରମେ ୧୨୧.୨୭ ଏଲ୍ଏମ୍ଟି, ୭୦.୯୮ ଏଲ୍ଏମ୍ଟି ଏବଂ ୬୩.୧୭ ଏଲ୍ଏମ୍ଟି ଗହମ କ୍ରୟ କରାଯାଇଛି ।
ଗହମ ଏବଂ ଧାନ ମିଳିତ କ୍ରୟ ପାଇଁ ଚଳିତ ବର୍ଷ ଚାଷୀଙ୍କୁ ଏମ୍ଏସ୍ପି ଦେୟ ଗତ ବର୍ଷର ୨,୦୫,୮୯୬ କୋଟି ଟଙ୍କା ତୁଳନାରେ ୨,୨୬,୮୨୯ କୋଟି ଟଙ୍କା ରହିଛି ।
ବର୍ତ୍ତମାନର ଗହମ ଏବଂ ଚାଉଳ କ୍ରୟ ସହିତ ସରକାରୀ ଖାଦ୍ୟ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରଖା ଯାଇଛି । ଗହମ ଏବଂ ଚାଉଳର ମିଳିତ ଗଚ୍ଛିତ ପରିମାଣର ସ୍ଥିତି ୫୭୦ ଏଲ୍ଏମ୍ଟିରେ ପହଞ୍ଚିଛି ଯାହା ଖାଦ୍ୟ ଶସ୍ୟର ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଦେଶକୁ ଆରାମଦାୟକ ସ୍ଥିତିରେ ରଖିଛି ।