
-
ଫିଲ୍ମ ଆଦି ପୁରୁଷକୁ ସେନସର ବୋର୍ଡ କିଭଳି ଅନୁମୋଦନ ଦେଲା ବୋଲି ପ୍ରଶ୍ନ
ଭୁବନେଶ୍ୱର, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଓ ରାମାୟଣରୁ ଭାରତର ଲୋକ ମାନେ ପ୍ରେରଣା ଓ ଶିକ୍ଷା ଗ୍ରହଣ କରୁଥିବା ବେଳେ ରାମାୟଣର କାହାଣୀ ଆଧାରରେ ତିଆରି କରାଯାଇଥିବା ଫିଲ୍ମ ଆଦିପୁରୁଷରେ ଯେଭଳି ଭାବେ ଚରିତ୍ର ମାନଙ୍କୁ ଦର୍ଶା ଯାଇଛି ଓ ସଂଲାପ ମାନ ରହିଛି ତାହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ । ଏଭଳି ଫିଲ୍ମକୁ ଭାରତର ସେନସର ବୋର୍ଡ କିଭଳି ଅନୁମତି ପ୍ରଦାନ କଲା ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରଶ୍ନ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରୀୟ ସମ୍ପାଦକ ଗୌରୀ ପ୍ରସାଦ ରଥ ଏହି ଫିଲ୍ମକୁ ନେଇ ଆପତି ବ୍ୟକ୍ତ କରିବା ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଚରିତ୍ରରୁ ସମାଜକୁ ଶିକ୍ଷା ପାଇଁ ରାମାନନ୍ଦ ସାଗରଙ୍କ ରାମାୟଣର ପୁନଃ ପ୍ରସାରଣ କରାଯାଉ ବୋଲି ଦାବି କରିଛନ୍ତି ।
ଶ୍ରୀ ରଥ ଏକ ବିବୃତିରେ କହିଛନ୍ତି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଚରିତ୍ର ଓ ରାମାୟଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆଦର୍ଶ । ରାମାୟଣରୁ ଭାରତୀୟ ମାନେ ଶିକ୍ଷା ଗ୍ରହଣ କରି ଆସିଛନ୍ତି । ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଚରିତ୍ର ଏଭଳି ଚରିତ୍ର ଯେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ତାଙ୍କର ନାଁ ଶୁଣିଲେ ଆପେ ଆପେ ନଇଁ ଯାଏ । ହେଲେ ରାମାୟଣ ନାମରେ ତିଆରି କରାଯାଇଥିବା ଏହି ଫିଲ୍ମରେ ଯେଭଳି ଭାବେ ଏହି ଚରିତ୍ର ମାନଙ୍କୁ ଦର୍ଶା ଯାଇଛି ଓ ନିମ୍ନ ସ୍ତରର ସଂଳାପ ମାନ ରହିଛି ତାହାକୁ କଦାପି ସ୍ୱୀକାର କରାଯାଇ ପାରିବ ନାହିଁ । ତେବେ ଫିଲ୍ମ ଗୁ଼ଡିକୁ ଅନୁମତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ସଂସ୍ଥା ସେନସର ବୋର୍ଡ ଏହି ଫିଲ୍ମକୁ କିଭଳି ମଂଜୁରୀ ପ୍ରଦାନ କଲା ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ଅଯୋଧ୍ୟାରେ ପ୍ରଭୁଙ୍କ ଜନ୍ମସ୍ଥାନରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି । ଖୁବ ଶୀଘ୍ର ନିର୍ମାଣ କାମ ଶେଷ ହେବ । ଏଭଳି ପରିସ୍ଥିତିରେ ଦେଶବାସୀ ମାନଙ୍କ ମଧ୍ୟରେ ଉଚ୍ଚ ମାନବିକ ମୂଲ୍ୟବୋଧ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ତେଣୁ ପୁରୁଷୋତ୍ତମ ଶ୍ରୀରାମଙ୍କ ଚରିତ୍ରରୁ ସମାଜକୁ ଶିକ୍ଷା ପାଇଁ ରାମାନନ୍ଦ ସାଗରଙ୍କ ରାମାୟଣର କରାଯାଉ ପୁନଃ ପ୍ରସାରଣ କରାଯାଉ ବୋଲି ସେ ଦାବି କରିଛନ୍ତି ।