ପୁରୀ, ଆଜି ତିନି ରଥ ଶରଧାବାଲିରେ ପହଞ୍ଚିଛି। ମଙ୍ଗଳବାର ଅପରାହ୍ଣ ରେ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଆଜି ସକାଳୁ ପୁଣି ଥରେ ରଥ ଟଣା କାର୍ଯ୍ୟ ହେବା ପରେ ଶେଷରେ ଶରଧାବାଲିରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ଲାଗିଛି । କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଜି ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ ।
ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଥିଲା । ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ଗତକାଲି ବଡ଼ଶଙ୍ଖରେ ଦର୍ପଦଳନ ରଥ ଅଟକିଥିଲା ବେଳେ ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା।